କନକ ବ୍ୟୁରୋ : କାଶ୍ମୀର ପହଲଗାମରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହୋଇଛି ସେଥିରେ ନୌସେନାର ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କର ମୃତ୍ୟୁ ହୋଇଛି । ଆଜି ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ଅନ୍ତିମ ସଂସ୍କାର ପୂର୍ବରୁ ନୌସେନା ତରଫରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ନୌସେନା ତରଫରୁ ସହିଦ ଯବାନଙ୍କ ପାର୍ଥୀବ ଶରୀରକୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ବିଦାୟ ଦିଆଯାଇଛି । ଶେଷକୃତ୍ୟ ସମୟରେ ଭାବବିହ୍ୱଳ ହୋଇପଡିଥିଲେ ତାଙ୍କ ପତ୍ନୀ ହିମାଂଶୀ । ଜାତୀୟ ପତାକାରେ ଆଚ୍ଛାଦିତ ହୋଇଥିବା ସ୍ୱାମୀଙ୍କ ଶବ ପାଖରେ ପହଂଚି ଭାବ ବିହ୍ୱଳ ଭାବେ କହିଛନ୍ତି କି, ଆମେ ତୁମ ପାଇଁ ଗର୍ବ ଅନୁଭବ କରୁଛି । ବିନୟଙ୍କର ଅଳ୍ପ କିଛିଦିନ ତଳେ ବିବାହ ହୋଇଥିଲା । ହନିମୁନ୍ ପାଇଁ ସେ ୟୁରୋପ ଯିବାକୁ ସ୍ଥିର କରିଥିଲେ । ହେଲେ ଭିଜା ନମିଳିବାରୁ ସେ ଯୋଜନା ବଦଳାଇ କାଶ୍ମୀର ଚାଲିଆସିଥିଲେ । ହେଲେ କାଳର ବିଚାର ଥିଲା କିଛି ଅଲଗା । ହନିମୁନ କରିବାକୁ କାଶ୍ମୀର ଆସିଥିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ଲେଫ୍ଟନାଣ୍ଟ ବିନୟଙ୍କର ମୃତ୍ୟୁ ହୋଇଛି ।