କନକବ୍ୟୁରୋ : ଗୁରୁବାର ଦିନ କିସ୍ତୱାଡ଼ର ଚିଶୋଟି ସହରର ଚାରୋଟି ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁଁ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭକ୍ତ, ଯେଉଁମାନେ ମଚେଲ ମାତାଙ୍କୁ ଦର୍ଶନ କରିବାକୁ ଆସିଥିଲେ । ଏହି ଅଘଟଣରେ ଦୁଇ ଜଣ ସିଆଇଏସ୍ଏଫ୍ ଯବାନ ମଧ୍ୟ ସହିଦ ହୋଇଛନ୍ତି ।
ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଚିଶୋଟି ଗାଁରେ ଗୁରୁବାର ଦିନ ଭୟଙ୍କର ବାଦଲ ଫଟା ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏହି ଅଞ୍ଚଳରେ ମଚେଲ ମାତା ଯାତ୍ରା ପାଇଁ ହଜାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିବା ବେଳେ ବିପର୍ଯ୍ୟୟ ଘଟିଥିଲା । ବର୍ଷାରେ ପାହାଡ଼ ଧସି ଆକସ୍ମିକ ବନ୍ୟାରେ ଅନେକ ଶ୍ରଦ୍ଧାଳୁ, ଅସ୍ଥାୟୀ ଦୋକାନ ଓ ସେନାର ସୁରକ୍ଷା ଘର ଭାସି ଯାଇଥିଲା।
ଏପର୍ଯ୍ୟନ୍ତ ୧୬୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଶତାଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ଏନ୍ଡିଆର୍ଏଫ୍, ସେନା, ପୁଲିସ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସମନ୍ୱିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଖରାପ ପାଗ ଯୋଗୁଁ ହେଲିକପ୍ଟର ସହାୟତା ବାଧାପ୍ରାପ୍ତ ହୋଇଥିବା ବେଳେ ଜେସିବି ଓ ଅନ୍ୟାନ୍ୟ ଯନ୍ତ୍ର ସାହାଯ୍ୟରେ ନିଖୋଜମାନଙ୍କୁ ଖୋଜା ଜାରି ରହିଛି ।
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଦୁର୍ଘଟଣାକୁ ଦୁଃଖଦ ବୋଲି କହିବା ସହ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ ସ୍ୱାଧୀନତା ଦିବସ ଉତ୍ସବ ବାତିଲ କରି କେବଳ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ କରିଛି। ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, ସେ କିସ୍ତୱାଡ଼ ଜିଲ୍ଲାର ଏକ ଦୁର୍ଗମ ଗାଁରେ ହୋଇଥିବା ଭୟଙ୍କର ମେଘଫଟା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି, ଯେଉଁଥିରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।