କନକ ବ୍ୟୁରୋ: ୫ ବର୍ଷ ପୂର୍ବରୁ ଧର୍ମଶାଳା ଅଞ୍ଚଳର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ହୁଲୁସ୍ତୁଲ ହୋଇଥିଲା। ତେବେ ତତ୍କାଳୀନ ସରକାରଙ୍କ ଉଦାସୀନତା ପାଇଁ ଏହି ମାମଲା କବର ନେବାକୁ ବସିଥିଲା । ସ୍ମିତାରାଣୀ ମାମଲାରେ ସଂପୃକ୍ତ ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସ୍ଥାନୀୟ ବିଜେଡି ନେତାଙ୍କ ସଂପୃକ୍ତି ସନ୍ଦେହ କରି, ଆଜି ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏବେ ସ୍ମିତାରାଣୀ ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟାଇବାକୁ ନିଜେ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାଜପୁରର ବଡ଼ଚଣା ମାଟିରୁ ସ୍ମିତାରାଣୀ ହତ୍ୟା ମାମଲାର ଦୋଷୀଙ୍କୁ କଡା ଚେତାବନୀ ଦେବା ସହ ତଦନ୍ତ ପାଇଁ ଦେଇଛନ୍ତି ଗ୍ରୀନ୍ ସିଗନାଲ । ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ବିଜେଡିର ମାଆକୁ ସମ୍ମାନ ନାରାର ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ।
- ସ୍ମିତାରାଣୀ ମୃତ୍ୟୁ ମାମଲାର ହେବ ତଦନ୍ତ ?
- ଯାଜପୁର ମାଟିରୁ ମୁଖ୍ୟମନ୍ତ୍ରୀ ଦେଲେ ଭରସା
- ଖୋଜି ଖୋଜି ଦୋଷୀଙ୍କୁ ଜେଲରେ କରାଯିବ ଭର୍ତ୍ତି
୨୦୧୯ରେ ସ୍ମିତାରାଣୀଙ୍କୁ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସରେ ହତ୍ୟା କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଥିଲା । ଏହି ମାମଲାରେ ରୂପେଶଙ୍କୁ ଗିରଫ କରାଯାଇଥିବା ବେଳେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲା । ପୂର୍ବରୁ ସ୍ମିତାରାଣୀଙ୍କୁ ନ୍ୟାୟ ଦେବାକୁ ତଦନ୍ତର ସଙ୍କେତ ଦେଇଥିଲେ ଆଇନମନ୍ତ୍ରୀ । ବଡ଼ଚଣା ମାଟିରୁ ଏଥିରେ ମୋହର ମାରିଛନ୍ତି ମୋହନ । ଅନ୍ୟପଟେ ସମସ୍ତ ତଦନ୍ତକୁ ସାମ୍ନା କରିବାକୁ ବିଜେଡି ପ୍ରସ୍ତୁତ ବୋଲି କହିଛନ୍ତି ମୁକେଶ ପାଲ୍ ।
ବିଜେପିର ସଦ୍ୟସତା ଅଭିଯାନରେ ସାମିଲ ହୋଇ ଯାଜପୁରରେ ଚାଲିଥିବା ପରିବାରବାଦକୁ ତେରଛା ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଯାଜପୁରକୁ ଲୁଟିଥିବା ୩ ପରିବାରକୁ ନିର୍ବାଚନରେ ଜବାବ ଦେଇଛନ୍ତି ଜନତା ।