କନକବ୍ୟୁରୋ :ଗତ ୬ ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲାରୁ ସର୍ବାଧିକ ନିଖୋଜ ମାମଲା ପଞ୍ଜୀକୃତ ହୋଇଛି । ସାରା ରାଜ୍ୟରେ ୬୮ଟି ଥାନାର ସମୀକ୍ଷା ସମୟରେ ୨୦୧୮ ଜାନୁଆରିରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ୧୮ ବର୍ଷରୁ କମ୍ ବୟସର ୧୩,୭୯୨ ଜଣ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ସେଥିରୁ ୫,୫୬୬ ନିଖୋଜ ଶିଶୁଙ୍କ ଅଭିଯୋଗ କ୍ରାଇମ୍ ଏବଂ କ୍ରିମିନାଲ୍ ଟ୍ରାକିଂ ନେଟ୍ୱର୍କ ସିଷ୍ଟମ୍ (ସିସିଟିଏନଏସ୍)ରେ ପଞ୍ଜୀକରଣ ହୋଇ ନଥିଲା। ଏହାଦ୍ବାରା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବା ମହାଲେଖା ନିୟନ୍ତ୍ରକ ତଥା ସମୀକ୍ଷକ (ସିଏଜି)ଙ୍କ ୨୦୨୫ ସେପ୍ଟେମ୍ବର ରିପୋର୍ଟରେ ଦର୍ଶାଯାଇଛି ।
ତଥ୍ୟାନୁସାରେ ଯାଜପୁର ଜିଲ୍ଲାର ୬ ଥାନାରେ ସର୍ବାଧିକ ୧୭୪୧ଟି ନିଖୋଜ ମାମଲା ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ଯାଜପୁର ଟାଉନ ଥାନାରେ ୪୧୬ ଜଣ, ଯାଜପୁର ସଦର ଥାନାରେ ୪୩୦, ମଙ୍ଗଳପୁର ଥାନାରେ ୪୬୨, ବରୀ ରାମଚନ୍ଦ୍ରପୁର ଥାନାରେ ୩୫୦, କାଳିଆପାଣି ଥାନାରେ ୩୫ ଓ ଟମକା ଥାନାରେ ୪୮ ନିଖୋଜ ମାମଲା ରୁଜୁ ହୋଇଛି। ସିସିଟିଏନଏସ୍ରେ ନିଖୋଜ ବ୍ୟକ୍ତି, ଶିଶୁମାନଙ୍କର ପଞ୍ଜୀକରଣ ନ ହେବା ଏବଂ ବିଳମ୍ବରେ ପଞ୍ଜୀକରଣ ହେବା ଯୋଗୁଁ ସେମାନଙ୍କୁ ଖୋଜିବା ସମ୍ଭାବନା ହ୍ରାସ ପାଇଥିଲା । ଏହାବାଦ୍ ଉକ୍ତ ନିଖୋଜ ବ୍ୟକ୍ତି ଓ ଶିଶୁ ମାମଲାଗୁଡ଼ିକର ତଦନ୍ତ ସ୍ଥିତି ତଦାରଖ କରାଯାଇ ପାରିଲାନାହିଁ । ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ମୋନାଲିସା ନାୟକଙ୍କ ଝିଅ ପିହୁ ନିଖୋଜ ଘଟଣା ଏହାର ଜ୍ବଳନ୍ତ ଉଦାହରଣ ।
୨୦୨୦ ଅଗଷ୍ଟ ୯ରେ ୩ ବର୍ଷର ଝିଅ ପିହୁ ନିଖୋଜ ହୋଇଯାଇଥିଲା। ଏହାମଧ୍ୟରେ ୫ ବର୍ଷ ପୂରି ସାରିଥିଲେ ବି ପିହୁ ନିଖୋଜ ଘଟଣାରେ ପୁଲିସ ଏଯାବତ୍ କୌଣସି ଟେର୍ ପାଇପାରି ନାହିଁ। ପିହୁର ମା’ ମୋନାଲିସା ଝିଅ ପାଇଁ ରାଜ୍ୟପାଳଙ୍କଠାରୁ ଆରମ୍ଭ କରି ଦିଲ୍ଲୀ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ଫଳ ଶୂନ । ଗତ ଅଗଷ୍ଟ ୩୦ ତାରିଖରେ ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଯାଜପୁର ଗସ୍ତରେ ଆସି ଖୁବଶୀଘ୍ର ଖୁସି ଖବର ମିଳିବ ବୋଲି କହିଥିଲେ। ହେଲେ ସେ ମଧ୍ୟ ମିଛ ପ୍ରତିଶ୍ରୁତି ଦେଇଥିବା ମୋନାଲିସା ଅଭିଯୋଗ କରିଛନ୍ତି ।
ପୂର୍ବ ସରକାର ଅମଳରେ ପିହୁକୁ ଖୋଜିବା ପାଇଁ ଘର ପାଖ ପୋଖରୀ ଶୁଖାଇବାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପୋଷ୍ଟର୍ ମରାଯାଇଥିଲା। ତେବେ ନିଖୋଜ ସମୟରେ ବିଂଝାରପୁର ଥାନାର ଅବହେଳା, ଅଭିଯୋଗ ନ ରଖିବା ଆଦି କାରଣରୁ ଆଜି ବି ପିହୁର ସନ୍ଧାନ ମିଳିପାରିଲାନି ବୋଲି ମୋନାଲିସା ଅଭିଯୋଗ କରି ଆସୁଛନ୍ତି। ସଂପୃକ୍ତ ଥାନାଧିକାରୀ ଓ ତଦନ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ପଦୋନ୍ନତି ଦିଆଗଲା। ଯାହାକି ପୁଲିସ ବ୍ୟବସ୍ଥାର ବାସ୍ତବ ସତ୍ୟକୁ ପଦାରେ ପକାଇଛି। କେବଳ ଏହି ଘଟଣା ନୁହେଁ, ଜିଲ୍ଲାରୁ ଅନେକ ଆଦିବାସୀ ଶିଶୁ ଶ୍ରମିକଙ୍କୁ ଚାଲାଣ କରାଯାଉଥିଲେ ହେଁ ପୁଲିସ ପାଖରେ ଏ ନେଇ କୌଣସି ତଥ୍ୟ ନଥିବା ଜଣାପଡ଼ିଛି।