କନକ ବ୍ୟୁରୋ : ଯାଜପୁର ଜିଲ୍ଲା ପାଣିକୋଇଲିରେ ଥିବା ସୁନା ଦୋକାନରୁ ଡକାୟତି ଓ ଗୁଳିମାଡ଼ ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏତେ ବଡ କାଣ୍ଡ କେମିତି ଘଟିଲା ତାହା ଆଲୋଚନାର ବିଷୟ ହୋଇଛି । ଅନ୍ୟପଟେ ଏହି ଘଟଣାର ଖୋଳତାଡ ଚଳାଇଛି ଏସଟିଏଫ । ଆଜି ଏସଟିଏଫର ୩ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।
ପାଣିକୋଇଲିର ପଣ୍ଡା ଅଳଙ୍କାରରୁ ଲୁଟ୍ ପାଇଁ ଗୁଳିମାଡ଼ ଘଟଣାର ଏସଟିଏଫ୍ ତଦନ୍ତ ଚଳାଇଛି । ଏସଟିଏଫର ତିନିଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ଜୋରଦାର କରିଛନ୍ତି । ଦୋକାନର ସିସିଟିଭି ଫୁଟେଜ୍ ଏବଂ ଦୋକାନୀଙ୍କ ଏତଲା ଆଧାରରେ ଦୋକାନ ଭିତର ଓ ବାହାର ପଟେ ଯାଞ୍ଚ କରିଛନ୍ତି । ଦୋକାନ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ଫେରାର୍ ଡକାୟତ ମାନଙ୍କୁ ଧରିବା ପାଇଁ ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି । ସାଇଣ୍ଟିଫିକ୍ ଟିମ୍ର ମଧ୍ୟ ସହାୟତା ନିଆଯାଇଛି ।
କିନ୍ତୁ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି, ତାହା ଚମକାଇ ଦେଲା ଭଳି । ଲୁଟ୍ ଓ ଗୁଳିକାଣ୍ଡ ଘଟାଇଥିବା ଡକାୟତମାନେ ବିହାର ଛାପ୍ରା ଜିଲ୍ଲାର । ଜବତ ହୋଇଥିବା ପାନକାର୍ଡ ଓ ଅଧାରକାର୍ଡରୁ ଏହା ସ୍ପଷ୍ଟ ହେଉଛି । ତେବେ ଧୂର୍ତ୍ତ ଲୁଟେରା ଓଡ଼ିଶା ନମ୍ବର ଗାଡିରେ ଆସି ଲୁଟ୍ କରିବା ସହ ଗୁଳିମାଡ କରିଥିଲେ ।
ସେପଟେ ଲୁଟେରାଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ନୀଳମାଧବ ପଣ୍ଡାଙ୍କ ମୃତଦେହ ପାଣିକୋଇଲି ପଣ୍ଡାସାହିସ୍ଥିତ ତାଙ୍କ ଘରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ପରିବାର ଲୋକଙ୍କ କାନ୍ଦବୋବାଳିରେ ପରିବେଶ ଫାଟି ପଡିଥିଲା । କୋରେଇ ବିଧାୟକ ଆକାଶ ଦାସ ନାୟକ ନୀଳମାଧବଙ୍କ ଘରେ ପହଞ୍ଚି ସମବେଦନା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ତେବେ ପାଣିକୋଇଲି ଥାନା ଏବଂ ଯାଜପୁର ଏସପିଙ୍କ ଅଫିସଠାରୁ ମାତ୍ର ୫୦୦ ମିଟର ଦୂରରେ ଲୁଟ୍ ହୋଇଥିବାରୁ ପୋଲିସର ଦକ୍ଷତା ନେଇ ପ୍ରଶ୍ନ ଉଠିଛି ।
ରାଜ୍ୟରେ ବଢ଼ିଚାଲିଛି ଅଣ ଓଡିଆ ଲୁଟେରାଙ୍କ ଆତଙ୍କରାଜ । ୨୦୨୩ ମେ’ ୧୫ ତାରିଖରେ ଯାଜପୁର ରୋଡ଼ ସେନକୋ ଗୋଲଡ଼ରେ ମଧ୍ୟ ଘଟିଥିଲା ଏଭଳି ସଶସ୍ତ୍ର ଡକାୟତି । ସେତେବେଳେ ଯାଜପୁର ପୋଲିସ ଏହାର ଟେର ପାଇନଥିଲା କିମ୍ବା କୌଣସି ସୁନା ଗହଣା ଜବତ କରିପାରିନଥିଲା । ଆଉ ଗତକାଲିର ଏହି ଗୁଳିକାଣ୍ଡ ଘଟଣା, ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି ।