କନକ ବ୍ୟୁରୋ : ପୁଣି ବିବାଦରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୁଲିସ । ଜଣେ ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଅଟକ ରଖିବା ନେଇ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ରାତିରେ ଘଟଣାର ପ୍ରତିବାଦ କରି ଥାନା ପରିସରରେ ପ୍ରବଳ ଉତେଜନା ପରେ ଶେଷରେ ପୁଲିସ ଅଟକ ରଖିଥିବା ବ୍ୟକ୍ତିଙ୍କୁ ଛାଡ଼ିଛି । ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର ଥାନା ଅଧୀନ ମଝିପଡ଼ା ପଞ୍ଚାୟତରେ ଗଣେଶ ପୂଜା ଭସାଣୀକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକୁ ନେଇ ବାଲିଚନ୍ଦ୍ରପୁର ପୁଲିସ ଜୈନିକ ବ୍ୟକ୍ତି ଦିଗମ୍ବର ଜେନାଙ୍କୁ ଉଠାଇ ଆଣିବା ପରେ ଛାଡିଦେଇଥିଲା । ହେଲେ ପୁନର୍ବାର ପୁଲିସ ଦିଗମ୍ବରଙ୍କୁ ଉଠାଇ ଆଣିବାରୁ ବାଲିଚନ୍ଦ୍ରପୁର ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଏକ ପାଖିଆ ତଦନ୍ତ କରି ହଇରାଣ କରିବା ସହ ବିନା କାରଣରେ ପୁଲିସ ଦିଗମ୍ବରଙ୍କୁ ଥାନାରେ ଅଟକ ରଖିଥିବା ଅଭିଯୋଗରେ ଥାନା ପରିସରରେ ଗତକାଲି ରାତିରେ ପୁଲିସ ଓ ଲୋକଙ୍କ ମଧ୍ୟରେ ଠେଲା ପେଲା ସହ ଉତେଜନା ପ୍ରକାଶ ପାଇଥିଲା । ଯାହାକୁ ନେଇ ଗତକାଲି ରାତିରେ ପୁଲିସ ଉଠାଇ ଆଣି ଥିବା ବ୍ୟକ୍ତିଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ।