କନକ ବ୍ୟୁରୋ: ଯଶସ୍ୱୀ ଜୟସ୍ୱାଲ... ଏମିତି ଜଣେ ଖେଳାଳି ଯିଏ ନିଜ ଟିମକୁ ବିଜୟୀ କରାଇବାର ଦକ୍ଷତା ରଖିଥାନ୍ତି । କାରଣ ସେ ଜଣେ ମ୍ୟାଚ ଓ୍ୱିନର ଭାବେ ପରିଚିତ । ହେଲେ ଏହି ଯୁବ ଆଉ ଉଦୀୟମାନ ଖେଳାଳିଙ୍କ ନିଷ୍ପତ୍ତିକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ । ଯେଉଁ ଟିମ ତାଙ୍କୁ ରାସ୍ତାରୁ ଉଠାଇ ପରିଚୟ ଦେଇଥିଲା, ଯେଉଁ ଟିମ ତାଙ୍କୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ରାସ୍ତା ଦେଖାଇଥିଲା, ଏବେ ସେହି ଟିମର ହାତ ଛାଡିଦେଇଛନ୍ତି ଜୟସ୍ୱାଲ । ରିପୋର୍ଟ ଅନୁସାରେ ଜୟସ୍ୱାଲ ମୁମ୍ୱାଇ ରଣଜୀ ଟିମକୁ ଛାଡିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ମୁମ୍ୱାଇ କ୍ରିକେଟ ଆସୋସିଏସନଠାରୁ ଏନଓସି ମାଗିଛନ୍ତି । ଆଉ ଏହା ତାଙ୍କ ବ୍ୟକ୍ତିଗତ କାରଣ ବୋଲି ସେ କହିଛନ୍ତି ।
ରିପୋର୍ଟ ଅନୁସାରେ ଜୟସ୍ୱାଲ ମୁମ୍ବାଇ ଛାଡି ଗୋଆ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଆସନ୍ତା ରଣଜୀ ସିଜିନ୍ ଗୋଆ ପାଇଁ ଖେଳିବାକୁ ଚାହୁଛନ୍ତି । ପୃଥ୍ୱୀ ଶ’ଙ୍କ ପୂର୍ବରୁ ମୁମ୍ୱାଇର ଅନେକ କ୍ରିକେଟର ଗୋଆ ଖେଳିବାକୁ ଯାଇଛନ୍ତି । ଏହା ମଧ୍ୟରୁ ଏକ ପପୁଲାର ନାଁ ହେଉଛି ଅର୍ଜୁନ ତେନ୍ଦୁଲକର । ଯିଏ ପୂର୍ବରୁ ରଣଜୀ ମୁମ୍ୱାଇ ଖେଳୁଥିଲେ, ହେଲେ ଏବେ ୩ ସିଜିନ ସେ ଗୋଆ ପାଇଁ ଖେଳିଆସୁଛନ୍ତି । ଏବେ ଜୟସ୍ୱାଲ ବି ଏହି ଟିମର ଅଂଶ ହେବାକୁ ଚାହୁଁଛନ୍ତି । ଆଉ ସେ ଗୋଆର ଅଧିନାୟକ ବି ହୋଇପାରନ୍ତି । ହେଲେ ଏବେ ଯାଏଁ ଏହାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଜୟସ୍ୱାଲ ୨୦୧୯ରେ ମୁମ୍ୱାଇ ପାଇଁ ଡେବ୍ୟୁ କରିଥିଲେ । ପ୍ରଥମ ଶ୍ରେଣୀର ପ୍ରଥମ ମ୍ୟାଚ ସେ ଛତିଶଗଡ଼ ପାଇଁ ଖେଳିଥିଲେ । ପ୍ରଥମ ମ୍ୟାଚରେ ସେ କିଛି କମାଲ କରିପାରିନଥିଲେ ହେଲେ ଏହା ପରେ ତାଙ୍କ ବ୍ୟାଟରୁ ରନ ବର୍ଷା ହୋଇଥିଲା । ଏହି ବାମହାତୀ ବ୍ୟାଟ୍ସମ୍ୟାନ ୩୬ ପ୍ରଥମଶ୍ରେଣୀ କ୍ରିକେଟ ଖେଳି ୬୦ରୁ ଅଧିକ ଆଭରେଜରେ ୩୭୧୨ ରନ କରିଛନ୍ତି । ତାଙ୍କ ବ୍ୟାଟରୁ ୧୩ ଶତକ, ୧୨ ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଛି । ଜୟସ୍ୱାଲ ଆଜି ଯେଉଁ ପରିଚୟ ପାଇଛନ୍ତି ତାହା କେବଳ ମୁମ୍ବାଇ ଦଳ ପାଇଁ ହି ସମ୍ଭବ ହୋଇଛି । ମୁମ୍ୱାଇ ତାଙ୍କୁ ପୂରା ସପୋର୍ଟ କରିଥିଲା, ତାଙ୍କୁ ଟପ ଅର୍ଡରରେ ଖେଳିବାର ସୁଯୋଗ ଦେଇଥିଲା । ହେଲେ ଏବେ ସେ ଦଳକୁ ଛାଡିବାକୁ ଚାହୁଁଛନ୍ତି ।
ଘରୋଇ କ୍ରିକେଟ ଖେଳିବା ସମୟରେ ଅନେକ ସଂଘର୍ଷ ଦେଇ ଗତି କରୁଥିଲେ ଜୟସ୍ୱାଲ । ଏମିତି କି ପରିବାର ପୋଷିବା ପାଇଁ ସେ ଗୁପଚୁପ ବିକୁଥିଲେ । ହେଲେ ୨୦୨୦ ମସିହା ତାଙ୍କ ଜୀବନକୁ ପୂରା ବଦଳାଇଦେଇଥିଲା । ଦମଦାର ପ୍ରଦର୍ଶନ ପାଇଁ ସେ ୨୦୨୦ରେ ରାଜସ୍ଥାନ ରୟାଲ୍ସ ତରଫରୁ ଆଇପିଏଲରେ ଡେବ୍ୟୁ କରିଥିଲେ । ଆଉ ଏବେ ଯାଏଁ ସେ ସେହି ଗୋଟିଏ ଦଳ ପାଇଁ ଲଗାତାର ଆଇପିଏଲ ଖେଳି ଆସୁଛନ୍ତି । ଏମିତି କି ଆଇପିଏଲ ଡେବ୍ୟୁ ପରେ ସେ ଟିମ ଇଣ୍ଡିଆରେ ବି ସ୍ଥାନ ପାଇଥିଲେ ।
ହେଲେ ଏବେ ନିଜ ଘରୋଇ ଦଳ ପାଇଁ କାହିଁକି ଏମିତି ନିଷ୍ପତ୍ତି ନେଲେ ଜୟସ୍ୱାଲ? ଯିଏ ଦେଲା ପରିଚୟ ତାକୁ କାହିଁକି ଛାଡିବେ? ମୁମ୍ୱାଇ ରଣଜୀ ଟିମ ସହ ଜୟସ୍ୱାଲଙ୍କ ରହିଛି କି ମତାନ୍ତର? ଏମିତି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/04/lqfuG3po0u19JXlKCS5G.jpg)