କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଲା କଂଗ୍ରେସ । ଗତ ୧୧ ବର୍ଷର ମୋଦୀ ସରକାର ଭିତରେ ପ୍ରଧାନମନ୍ତ୍ରୀ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ ନ କରିବା ନେଇ ବର୍ଷିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ତେବେ ଗତ ଜୁନ୍ ୯ ତାରିଖରେ ମୋଦୀ ସରକାର ନିଜର ୧୧ ବର୍ଷ ପୂରଣ କରିଛି । ଆଉ ଏହି ୧୧ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ବି ପ୍ରେସ୍ କନଫରେନ୍ସ ନ କରିବା ନେଇ ଟାର୍ଗେଟ୍ କରିଛନ୍ତି ଜୟରାମ । 

Advertisment

ତାଙ୍କ କହିବା କଥା ହେଲା, ପ୍ରଧାନମନ୍ତ୍ରୀ ମୋଦୀ ପ୍ରେସ୍ କନଫରେନ୍ସରୁ କାହିଁକି ଦୂରରେ ରହୁଛନ୍ତି ? ଆଲୋଚନା କରିବାକୁ ତାଙ୍କୁ ଠିକ୍ ଲୋକ ମିଳୁନାହାନ୍ତି କି? ତେବେ ନିଜ କାର୍ଯ୍ୟକାଳର ୧୧ ବର୍ଷ ପୂରଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ବିନା ସ୍କ୍ରିପ୍ଟରେ ସାମ୍ବାଦିକ ସମ୍ମିଳନୀ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଜୟରାମ ରମେଶ ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଲେଖି କହିଥିଲେ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଗଣମାଧ୍ୟମ ସହ କଥାବାର୍ତ୍ତା କରିବାକୁ ଡକାଯାଇଥିଲା, ଯେଉଁଥିରେ କି ସେ ମୋଦୀ ସରକାରର ୧୧ ବର୍ଷର ସଫଳତା ବଖାଣିପାରିବେ । ହେଲେ ପ୍ରଧାନମନ୍ତ୍ରୀ କାହିଁକି ସାମ୍ବାଦିକ ସମ୍ମିଳନୀକୁ ଡରୁଛନ୍ତି? ଭାରତ ମଣ୍ଡପମ ଏବେ ବି ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷାରେ ଅଛି ବୋଲି କହିବା ସହିତ ମୋଦୀଙ୍କୁ କଟାକ୍ଷ କରିଛନ୍ତି ଏହି କଂଗ୍ରେସ ନେତା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୟରାମ ରମେଶ ମୋଦୀଙ୍କୁ ଟାର୍ଗେଟ୍ କରିବା ପରେ ମଧ୍ୟ ଏନେଇ ବିଜେପି କୌଣସି ବି ପ୍ରତିକ୍ରିୟା ରଖିନି । 

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଥିଲା । କେବଳ ପୂର୍ବ ନିର୍ଦ୍ଧାରିତ ସ୍କ୍ରିପ୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମିଡିଆ ସହିତ କଥାବାର୍ତ୍ତା କରୁଛନ୍ତି ବୋଲି ଅଭିଯୋଗ କରିଥିଲା କଂଗ୍ରେସ । ଏକ୍ସରେ ପୋଷ୍ଟ ସେୟାର୍ କରି କଂଗ୍ରେସ ନେତା ଜୟରାମ ରମେଶ ଆହୁରି ମଧ୍ୟ କହିଥିଲେ ଯେ, ବିଶ୍ୱର ଅନେକ ନେତା ସମୟ-ସମୟରେ ସ୍ୱାଧୀନ ଭାବେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ହେଲେ ଆମର ଏଠି ୧୧ ବର୍ଷ ହେଲା କୌଣସି ବି ସାମ୍ବାଦିକ ସମ୍ମିଳନୀ ହୋଇନି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ମିଡିଆ ସହିତ କଥାବାର୍ତ୍ତା କରିଥିଲେ । ଯାହାର କି ପ୍ରଡକ୍ସନ୍, ଡାଇରେକ୍ସନ ଏବଂ ସ୍କ୍ରିପ୍ଟ ସେ ନିଜେ ହିଁ ଲେଖିଥିଲେ ମୋଦୀ ହିଁ କରିଥିଲେ ମୋଦୀ ଗମ୍ଭୀର ଆରୋପ ଲଗାଇଥିଲେ ଜୟରାମ ରମେଶ ।