କନକ ବ୍ୟୁରୋ: କାଗଜ କଲମରେ ସୀମିତ ଜୟପୁର ବିକ୍ରମଦେବ କଲେଜର ବିଶ୍ୱ ବିଦ୍ୟାଳୟ ମାନ୍ୟତା। ନା ଭିତ୍ତିଭୂମି ବଦଳିଛି ନା ପିଲାଙ୍କୁ ବିଶ୍ୱ ବିଦ୍ୟାଳୟ ପରିବେଶ ମିଳିଛି। ଏପରିକି ବିଶ୍ୱ ବିଦ୍ୟାଳୟ ପାଇଁ ଜମି ବି ହସ୍ତାନ୍ତର କରାଯାଇନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବ ପୁରାତନ କଲେଜ ହେଉଛି ବିକ୍ରମଦେବ କଲେଜ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳିନ ମୁଖ୍ୟମନ୍ତ୍ରୀ ଜୟପୁରର ବିକ୍ରମଦେବ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କଲେ। ଆବଶ୍ୟକୀୟ ଅନୁଦାନ ଦିଆଯିବ ବୋଲି କହିଥିଲେ ନବୀନ ପଟ୍ଟନାୟକ। ଘୋଷଣାର ଦୀର୍ଘ ମାସ ପରେ ବି ବିଶ୍ବ ବିଦ୍ୟାଳୟ କାମ ଇଞ୍ଚିଏ ମଧ୍ୟ ଆଗେଇ ନାହିଁ ।
୧୯୪୭ରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ୧୯୫୧ରେ ବିକ୍ରମଦେବ କଲେଜ ମାନ୍ୟତା ପାଇଥିଲା । ୨୫ ଏକର ପରିଧି ବିଶିଷ୍ଟ ଏହି କଲେଜରେ ବିଜ୍ଞାନ, ବାଣିଜ୍ୟ, କଳା ସହ ସମସ୍ତ ବିଭାଗର ପିଜି, ଏମବିଏ ଓ ବିଇଡ଼ି ପାଠ୍ୟକ୍ରମ ରହିଛି । ବର୍ତ୍ତମାନ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ହେଲେ କଲେଜରେ ୨୪ଜଣ ନିୟମିତ ଅଧ୍ୟାପକ ଓ କିଛି ଠିକା ଅଧ୍ୟାପକ ରହିଛନ୍ତି । ବିଶ୍ବ ବିଦ୍ୟାଳୟ ପାଇଁ ଶହେରୁ ଅଧିକ ଅଧ୍ୟାପକ ଆବଶ୍ୟକ । ଅଧ୍ୟାପକ ତ ନାହାନ୍ତି, ଅନ୍ୟାନ୍ୟ ଭିତ୍ତିଭୂମିର ମଧ୍ୟ ଅଭାବ ରହିଛି । ଖେଳ ପଡ଼ିଆ କି ଅଡ଼ିଟୋରିୟମ ନାହିଁ ।
ପ୍ରକୃତରେ କେବେ ବଦଳିବ ବିକ୍ରମଦେବ କଲେଜର ରୂପରେଖ, କେବେ ପୂର୍ଣ୍ଣ ବିଶ୍ୱ ବିଦ୍ୟାଳୟରେ ପରିଣତ ହେବ, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/24/LTqrGFM8CbVSpbyTPsqo.jpg)