କନକବ୍ୟୁରୋ : ଦଶହରା ପାଇଁ ଚଳଚଞ୍ଚଳ କୋରାପୁଟ ଜିଲ୍ଲା ଜୟପୁର ସହର। ବାଉଁଶ ଲାଠି ପୂଜା ଚାଲିଛି । ଚାରିଆଡ଼େ ଉତ୍ସବର ମାହୋଲ । ରୀତିନୀତିର ସହ ଲାଠି ପୂଜା କରୁଛନ୍ତି ଜୟପୁରବାସୀ । ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।
ଆଲୋକ ମାଳାରେ ସଜେଇ ହୋଇଛି ସହର । ଭିନ୍ନ ପରମ୍ପରା ଓ ଭିନ୍ନ ବିଶ୍ୱାସ ସହ ଦଶହରା ପାଳୁଛି ଜୟପୁର । ଏଠି ଆଜି ବି ଲାଠି ଓ ତୋପ ପୂଜାର ମହତ୍ତ୍ବ ରହିଛି । ରାଜା ବିକ୍ରମ ଦେବ ଦଶହରାରେ ଦେବୀ କନକ ଦୁର୍ଗାଙ୍କୁ ପୂଜା କରୁଥିଲେ । ସେହି ସମୟରେ ପ୍ରଜାମାନେ ତାଙ୍କୁ ଭେଟିବାକୁ ନିଜ ଗାଁ ଦେବାଦେବୀଙ୍କୁ ଏକ ଲାଠିରେ ଆରାଧନା କରି ଆସୁଥିଲେ । ଆଜି ରାଜା ନାହାନ୍ତି, ତାଙ୍କ ଦାୟାଦ ପରମ୍ପରାକୁ ବଜାୟ ରଖିଛନ୍ତି । ଚଳିତ ବର୍ଷ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହେରୁ ଅଧିକ ଲାଠି ଯୋଗ ସାମିଲ ହୋଇଛନ୍ତି ଜୟପୁର ଦଶହରାରେ ।
ମା’ ଭଗବତୀଙ୍କ ପାଖରୁ ଆଜ୍ଞମାଳ ଆସିବା ପରେ ଜୟପୁରରେ ଆରମ୍ଭ ହୁଏ ଦଶହରା ପର୍ବ । ଦଶହରା ସମୟରେ ରାଜପ୍ରାସାଦରେ ଥିବା ତୋପକୁ ମଧ୍ୟ ପୂଜା କରାଯାଏ । ଚଳିତ ବର୍ଷ ଜୟପୁର ସହରରେ ୧୦ରୁ ଅଧିକ ଦଶହରା ମେଢ଼ ହୋଇଛି । ପାର୍ବଣକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ନାମୀଦାମୀ କଳାକାର ଆସୁଛନ୍ତି । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।