କନକ ବ୍ୟୁରୋ: ଜୟପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର। ସବଡ଼ିଭିଜନାଲ ହସ୍ପିଟାଲରୁ ଜିଲ୍ଳା ମେଡ଼ିକାଲରେ ପରିଣତ ହେଲା। ଜିଲ୍ଳାବାସୀ ଭାବିଲେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ମାଇଲ ଖୁଂଟ ସାଜିବ ଜୟପୁର। ହେଲେ ବର୍ଷ ପରେ ବର୍ଷ ଗଡୁଛି, କେବଳ କୋଠାର ଚିତ୍ର ବଦଳିଲା କିନ୍ତୁ ବଦଳିଲା ନାହିଁ ସ୍ୱାସ୍ଥ୍ୟସେବା। ରକ୍ତ ପରୀକ୍ଷା ପାଇଁ ଧାଡ଼ି ବାନ୍ଧି ଘଂଟା ଘାଂଟା ଛିଡ଼ା ହେଉଛନ୍ତି ରୋଗୀ। ରିପୋର୍ଟ ମିଳିବା ପର୍ୟ୍ୟନ୍ତ ରୋଗ ଅପେକ୍ଷା କରିବ କି ବୋଲି ପ୍ରଶ୍ନ କରୁଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ।
ଯଦି ଅସୁସ୍ଥ ହୋଇ ରକ୍ତ ପରୀକ୍ଷା ପାଇଁ ଜୟପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି, ତେବେ ଘଂଟାଘଂଟା ଅପେକ୍ଷା କରିବା ପାଇଁ ମାନକିସ ସ୍ତରରେ ପ୍ରସ୍ତୁତ ଥିବେ। କାରଣ କେତେବେଳେ ଆପଣଙ୍କ ପାଳି ପଡ଼ିବ ତାହା କହିହେବନି। ରୋଗୀ ଓ ଗର୍ଭବତୀ ୪ ଘଂଟା କାଳ ଧାଡ଼ିରେ ଠିଆ ହେଉଥିବା ଦେଖିବାକୁ ମିଳିଛି। ରୋଗ ଚିହ୍ନଟ ହେଲେ ଚିକିତ୍ସା ହେବ।
ଏତିକିରେ ଅଟକି ଯାଇନି ଜୟପୁର ମୁଖ୍ୟ ଚିକିତ୍ସଳୟର ଚିତ୍ର । କେଉଁଠି ରୋଗୀ ଶର୍ଯ୍ୟା ନପାଇ ସିମେଣ୍ଟ ଚଟାଣରେ ଗଡୁଛନ୍ତି, ରୋଗୀଙ୍କ ସମ୍ପର୍କୀୟ ବାହାରେ ଅପେକ୍ଷା କରି ବସିଛନ୍ତି। ଦେଖିଲେ ଲାଗୁଛି ବସଷ୍ଟାଣ୍ଡ ଭଳି। ଜୟପୁର ଜିଲ୍ଲା ଚିକିତ୍ସାଳୟ ଉପରେ ଜୟପୁର ସହର ସହିତ ନବରଗଂପୁର, ମାଲକାନଗିରି ଓ ଛତିଶଗଡ଼ ରାଜ୍ୟର ଲୋକ ନିର୍ଭର କରିଥାନ୍ତି।
ଡାକ୍ତରଖାନା ଅବ୍ୟବସ୍ଥାକୁ ସ୍ୱୀକାର କରିଛନ୍ତି ଅଧିକାରୀ। ସ୍ଥିତି ସୁଧୁରିବାକୁ ଆହୁରି ୩ ମାସ ଲାଗିବ ବୋଲି କହିଛନ୍ତି। ୭ ମହଲା କୋଠା ତିଆରି ଚାଲିଛି, କାମ ସରିବା ପରେ ରୋଗୀଙ୍କୁ ସବୁ ସୁବିଧା ମିଳିପାରିବ। ଏବେ ମାତୃ ଶିଶୁ ମେଡ଼ିକାଲ କୋଠାରେ ଚିକିତ୍ସା ଚାଲିଛି । ୧୫୦ ଶଜ୍ୟା ବିଶିଷ୍ଟ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ନାହାନ୍ତି। ଅନେକ ବିଭାଗ ଖାଲି ପଡ଼ିଛି। ଏମ୍ଆରଆଇ ମେସିନ ନାହିଁ। ତେଣୁ ଗୁରୁତର ରୋଗୀଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡ଼ିକାଲକୁ ରେଫର କରାଯାଉଛି ।
ବଦଳୁଛି ସମୟ, ବଦଳିଲେ ସରକାର କିନ୍ତୁ ବଦଳୁନାହିଁ କୋରାପୁଟ ଜିଲ୍ଳା ସ୍ୱାସ୍ଥ୍ୟ କେନ୍ଦ୍ରର ଚିତ୍ର।
Follow Us