କନକବ୍ୟୁରୋ : ଜୟପାଟଣା ସହରରେ ବଢ଼ୁଛି ଟ୍ରାଫିକ ସମସ୍ୟା। ପ୍ରତିଦିନ ସହରରେ ହଜାର ହଜାର ସଂଖ୍ୟାରେ ଗାଡି ଯାତାୟତ କରୁଛନ୍ତି । ଟ୍ରାଫିକ ସମସ୍ୟା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜରୁରୀକାଳୀନ ସମୟରେ ଲୋକ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଗୁରୁତ୍ବ ଦେବା ପାଇଁ ଦାବି କରିଛନ୍ତି ଜୟପାଟଣାବାସୀ ।
କଳାହାଣ୍ଡି ଜିଲ୍ଲାର ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳୀ ଜୟପାଟଣା ସହର । ଦିନକୁ ଦିନ ଏଠି ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗୋଟିଏ ପଟେ ଲୋକେ ସରକାରଙ୍କ ଟ୍ରାଫିକ ନିୟମକୁ ମାନୁନାହାଁନ୍ତି। ଅନ୍ୟପଟେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପାଖରେ ଆବଶ୍ୟକ କର୍ମଚାରୀ ନାହାଁନ୍ତି । ସହରର ମୁଖ୍ୟ ୪ଟି ଛକ ଯଥା ହନୁମାନ ମନ୍ଦିର ଛକ, ରାଜବାଟ ଛକ, ଡେଲି ମାର୍କେଟ ଛକ..
ଏସବିଆଇ ଏଟିଏମ୍ ଛକରେ ଘଣ୍ଟାଘଣ୍ଟା ଧରି ଟ୍ରାଫିକ ଜାମ ରହୁଛି । କାଁ ଭାଁ ଜଣେ ଦୁଇ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଉଛି । ସେମାନେ ଭିଡ଼ ନିୟନ୍ତ୍ରଣ କରିବା ସମ୍ଭବ ହେଉନି । ପ୍ରତିଦିନ ଜୟପାଟଣା ସହରରେ ହଜାର ହଜାର ଯାନବାହାନ ଚଳାଚଳ କରୁଛି । ସହରରେ ଥିବା ବସଷ୍ଟାଣ୍ଡ ବ୍ୟବହାର ହେଉନଥିବାରୁ ବସ୍ ଗୁଡ଼ିକ ରାଜବାଟି ଛକରେ ରହୁଛି । ଫଳରେ ଟ୍ରାଫିକ ସମସ୍ୟା ବଢ଼ିଯାଉଛି। ଅଧିକାଂଶ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଯଦି ଜିଲ୍ଲା ଆର.ଟି.ଓ ଓ ପୁଲିସ ତରଫରୁ ଠୋସ୍ ପଦକ୍ଷେପ ଗ୍ରହଣ କରାଯାଆନ୍ତା ତେବେ ସ୍ଥିତିରେ ସୁଧାର ଆସିପାରନ୍ତା ।