କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଜୟପଟଣାର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଦିନକୁ ଦିନ ସହରରେ ବଢୁଛି ଜନସଂଖ୍ୟା ସାଙ୍ଗକୁ ସରକାରୀ କାର୍ଯ୍ୟାଳୟ । ସବୁ ମାନଦଣ୍ଡ ଥାଇ ବି ମିଳୁନି ଏନ୍ଏସି ମାନ୍ୟତା । ୧୦ ବର୍ଷ ହେଲା ଏନଏସି ମାନ୍ୟତା ଦେବାକୁ ଦାବି ହେଉଛି । ବିକାଶର ଦ୍ୱାହି ଦେଉଥିବା ରାଜନେତା ନିର୍ବାଚନ ସମୟରେ ଏଥିପାଇଁ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ନିର୍ବାଚନ ପରେ ଭୁଲିଯାଇଛନ୍ତି ଜୟପାଟଣାକୁ ।
ରାଜାରାଜୁଡ଼ା ଅମଳର ଜୟପଟଣା ସହର । କଳାହାଣ୍ଡି ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳ । ଏଠି କୋର୍ଟ କଚେରୀ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟାଳୟ ରହିଛି । ଦିନକୁ ଦିନ ସହର ବଢୁଛି । ଲୋକ ସଂଖ୍ୟା ଯେତିକି ବଢୁଛି ଘର ସଂଖ୍ୟା ବି ସେହି ଅନୁସାରେ ବଢୁଛି । ସବୁ ମାନଦଣ୍ଡ ଥାଇ ବି ଜୟପାଟଣାକୁ ଏନଏସି ମାନ୍ୟତା ମିଳୁନାହିଁ ।
୨୦୨୪ ଫେବୃଆରୀ ମାସରେ ୩୪ଟି ସହରକୁ ଏନ୍ଏସି ଓ ୫ଟି ସହରକୁ ମ୍ୟୁନିସିପାଲିଟି ଘୋଷଣା କରିଥିଲେ ପୂର୍ବ ସରକାର । ସେହି ତାଲିକାରେ ଥିଲା ଜୟପାଟଣା ସହର । ହେଲେ ବର୍ତ୍ତମାନର ସରକାର କହିଛନ୍ତି ଏଥିପାଇଁ କୌଣସି ଲିଖିତ ପ୍ରସ୍ତାବ ନାହିଁ । ଖୋଦ ନଗର ଉନ୍ନୟନ ମନ୍ତ୍ରୀ ଏଭଳି କହିବା ଘୋଷିତ ନୂତନ ଏନଏସିର ଭାଗ୍ୟ ବଦଳିବ ନା ପୂର୍ବ ଭଳି ବଳବତ୍ତର ରହିବ ତାକୁ ନେଇ ପ୍ରଶ୍ନ ଉଠିଛି ।
ଜନସଂଖ୍ୟା ଓ ଆବଶ୍ୟକୀୟ ଭିତ୍ତିଭୂମି ଦୃଷ୍ଟିରୁ ଜୟପାଟଣାକୁ ଏନଏସି ମାନ୍ୟତା ଦେବା ପାଇଁ ୧୦ ବର୍ଷ ହେଲା ଦାବି ହେଉଛି । ସହରୀ ସଭ୍ୟତା ମଧ୍ୟରେ ଏହାର ଉନ୍ନତିକରଣ ପାଇଁ ଆସୁଥିବା ପଞ୍ଚାୟତ ପାଣ୍ଠି ନିଅଣ୍ଟ ପଡୁଥିବା ଅଭିଯୋଗ ହୋଇଛି । ତେଣୁ ଆବଶ୍ୟକତା ଅନୁସାରେ ସହରର ବିକାଶ ହୋଇପାରୁନାହିଁ । ସହରବାସୀ ଓ ଜୟପାଟଣାକୁ ଆସୁଥିବା ଯାତ୍ରୀ ଓ ବ୍ୟବସାୟୀଙ୍କୁ ଆବଶ୍ୟକ ସୁବିଧା ମିଳୁନାହିଁ । ତେଣୁ ଏନ୍ଏସି ଘୋଷଣା ହେଲେ ସହରର ରୂପରେଖ ବଦଳିବା ସହ ପରିମଳ ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିବ ବୋଲି ଆଶା ବାନ୍ଧିଛନ୍ତି ଅଞ୍ଚଳବାସୀ ।