କନକ ବ୍ୟୁରୋ: ଆତଙ୍କ ଖେଳାଇଲେ କଏଦୀ। ଅଭିଯୁକ୍ତର ମାଡ଼ରେ ରକ୍ତାକ୍ତ ହେଲେ ଜେଲର। ଆଉ ଭୟରେ ସାଇରନ ବଜାଇଲେ। ରାଜଧାନୀ ଛାତି ଉପରେ ଥିବା ଝାରପଡ଼ା ଜେଲରୁ ଆସିଛି ଆତଙ୍କର ଏଭଳି ଘଟଣା । ଘଟଣାରେ କମିସନରେଟ୍ ପୁଲିସ ତନାଘନା ଆରମ୍ଭ କରିଛି।

Advertisment

ଭୁବନେଶ୍ୱର ଝାରପଡା ଜେଲରେ ଆତଙ୍କ ଖେଳାଇଲେ କଏଦୀ। ତାୱା, ନନ୍ଦୁ ଆଉ ନାରଣ ଯୋଗୁଁ ବାଜିଲା ସାଇରନ୍ ଆଉ ଥର ହର ହେଲା ଜେଲ ପରିସର। ଏଥର ଗଣ୍ଡଗୋଳ କଏଦୀ କଏଦୀଙ୍କ ମଧ୍ୟରେ ନୁହେଁ ବରଂ ଜେଲ ଭିତରେ ଥାଇ ବି ଜେଲର ଓ କର୍ମଚାରୀଙ୍କୁ ପିଟିଲେ। ଲକଅପ୍ ସେଲରେ ରହି ଜେଲ କର୍ମଚାରୀଙ୍କୁ କଲେ ମରଣାନ୍ତକ ଆକ୍ରମଣ। ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜେଲ ୱାର୍ଡରଙ୍କୁ ଦେଲେ ହତ୍ୟା ଧମକ। ସାମାନ୍ୟ ଗଣ୍ଡଗୋଳ ଏତେ ଉଗ୍ର ରୁପ ନେଇଥିଲା ଯେ, ସେଲ ଭିତରୁ ୱାର୍ଡରଙ୍କ କଲର ଧରି ଟଣା ଓଟରା କରିଥଲେ। ଅସହାୟ ୱାର୍ଡରଙ୍କୁ ୫ ଜଣ ସଙ୍ଘବଦ୍ଧ ଆକ୍ରମଣ ପରେ, ଜୀବନ ବିକଳରେ ଜେଲର ଆଲାର୍ମ ବା ସାଇରନ ସୁଇଚ୍ ବଜାଇଥିଲେ। ସାଇରନ ଶୁଣି, ଘଟଣାସ୍ଥଳରେ ଜେଲର ପହଞ୍ଚି ଥିଲେ । 

କଏଦୀ ମାନେ ଜେଲରଙ୍କୁ ଧକ୍କା ମାରି ତଳେ ପକାଇବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ ବି କରିବାକୁ ପଛାଇ ନଥିଲେ। ତେବେ ପତିଆରା ଓ ଭାଇଗିରି ପାଇଁ ଜେଲ ଭିତରେ ରିଲ୍ସ କରିଥିଲେ ଏହି ଗୋଷ୍ଠୀ। ସେମାନଙ୍କ ମୋବାଇଲ ଛୁରୀ ଛଡା ସେମାନଙ୍କୁ ଅନ୍ୟତ୍ର ରଖାଯାଇଥିଲା। ତେବେ ଲକଅପ ସେଲରେ ଭର୍ତି କରିବା ପରେ, ରକ୍ତମୁଖା ହୋଇ ପଡିଥିବା କହିଛନ୍ତି ଜେଲ କର୍ତ୍ତୃପକ୍ଷ । 

ସେପଟେ ପୁର୍ବରୁ କିଛି ଦିନ ତଳେ ଜେଲ ଭିତରେ ଦୁଇ ଗୋଷ୍ଠୀଙ୍କ ଗଣ୍ଡଗୋଳରେ କଏଦୀ ମାନେ ଲହୁ ଲୁହାଣ ହୋଇଥିବା ନଜରକୁ ଆସିଥିଲା। ଘଟଣାଟିକୁ ଛୋଟିଆ କହି ମିଳିମିଶି ଚାପି ଦେଇ ଚୁପ ହୋଇ ବସି ପଡିଥିଲେ ଅଧିକାରୀ। ଆଉ ଆଜି ସେହି ଘଟଣାର ପୁନରାବୃତି ଘଟିଲା। ଏହି ଘଟଣା ପରେ, ଜେଲ ଭିତରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଯୋଜନା କରାଯାଇଛି। 

ଜେଲ ଭିତରେ ରହି ଆତଙ୍କ ଖେଳାଉ ଥିବା କଏଦୀଙ୍କୁ ବଳ ଦେଉଛି କିଏ ? କାହିଁକି ଜେଲ ଭିତରେ ରହି ଉପରମୁହାଁ ହେଉଛନ୍ତି କଏଦୀ?  କିଏ ଏମାନଙ୍କ ଗଡ ଫାଦର? ଯଦି ରାଜଧାନୀ ଛାତିରେ ଥିବା ଝାରପଡା ଜେଲର ଅବସ୍ଥା ଏମିତି ତାହାଲେ, ଉପକୁଳରୁ ଉପାନ୍ତ ଅଞ୍ଚଳରେ ଥିବା ଜେଲର ଅବସ୍ଥା କଣ ଥିବ ସେନେଇ ଉଠୁଛି ପ୍ରଶ୍ନ।