କନକ ବ୍ୟୁରୋ: ଛତିଶଗଡ଼ ରାୟପୁରର ଜାଗେଶ୍ବର ଅବଧିୟା , ଯାହାଙ୍କ କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିପଡ଼ିବ । କିଛି ଦୋଷ ନଥାଇ ଜେଲ ଭୋଗିଲେ ତାହା ପୁଣି ବର୍ଷେ କି ଦି ବର୍ଷ ନୁହେଁ ପୂରା ୪୦ ବର୍ଷ । ନ୍ୟାୟ ପାଇଁ ଚେଷ୍ଟା କରି କରି ଥକିଗଲେ ଆଉ ନ୍ୟାୟ ପାଇବା ବେଳକୁ ସବୁ କିଛି ଛାରଖାର ।

Advertisment

ଜାଗେଶ୍ବର ଅବଧିୟାଙ୍କ ଜୀବନକୁ ସାରିଦେଲା ଷଡ଼ଯନ୍ତ୍ର , ୧୯୮୬ରେ ତାଙ୍କ ଜୀବନରେ ଅନ୍ଧକାର ଘୋଟିଆସିଲା । ତାଙ୍କ ଉପରେ ଲାଗିଲା ୧୦୦ ଟଙ୍କା ଲାଞ୍ଚ ନେବାର ଅଭିଯୋଗ ଯାହା ତାଙ୍କଠାରୁ ତାଙ୍କ ପରିବାର ,ଚାକିରି , ସମ୍ମାନ ସବୁ ଛଡ଼ାଇନେଲା । ଜାଗେଶ୍ବର ମଧ୍ୟପ୍ରଦେଶ ଷ୍ଟେଟ୍ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନରେ କ୍ଲର୍କ୍ ଥିବାବେଳେ ବିଲ୍ ସହାୟକ ଭାବେ କାର୍ଯ୍ୟ କରୁଥିଲେ । ସେ ସମୟରେ ଜଣେ ବ୍ୟକ୍ତି ନିଜର ବକେୟା ବିଲ୍ ପାସ୍ କରିବାକୁ ତାଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ଏଭଳି କାମ ବେଆଇନ୍ ବୋଲି କହି ତାଙ୍କ ବିଲ୍ କରିବାକୁ ମନା କରିଦେଇଥିଲେ ଜାଗେଶ୍ବର । ତା’ ପରଦିନ ବ୍ୟକ୍ତି ଜଣକ ଜାଗେଶ୍ବରଙ୍କୁ ୨୦ ଟଙ୍କା ଲାଞ୍ଚ ଯାଚିଥିଲା କିନ୍ତୁ ଜାଗେଶ୍ବର ସଫା ସଫା ମନା କରିଦେଇଥିଲେ । ତା ପରଦିନ ପୁଣି ୧୦୦ ଲାଞ୍ଚ ଯାଚି ବିଲ୍ କରିଦେବାକୁ କହିଥିଲେ । କିନ୍ତୁ ଏହାକୁ ବିରକ୍ତ ହୋଇ ଫେରାଇଦେଇଥିଲେ ଯୋଗେଶ୍ବର । ଏତିକିରେ ରାଗିଯାଇ ପ୍ରତିଶୋଧପରାୟଣ ହୋଇଥିଲେ ବ୍ୟକ୍ତିଜଣକ । ଆଗରୁ ଏନେଇ ଭିଜିଲାନ୍ସ ଆଗରେ ମିଛ କାହାଣୀ କହି ଯୋଗଶ୍ବେର ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ । ଦିନେ ଜାଗେଶ୍ବର ସାଇକେଲ ନେଇ ଅଫିସ ବାହାରୁଥିବାବେଳେ ବ୍ୟକ୍ତି ଜଣକ ତାଙ୍କୁ ରୋକି ତାଙ୍କ ପକେଟରେ ଜବରଦସ୍ତି ୧୦୦ ଟଙ୍କିଆ ନୋଟ୍ ଗୁଂଜିଦେଇଥିଲେ ଆଉ ସେତିକିବେଳେ ଜାଗେଶ୍ବରଙ୍କୁ ମାଟିବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଗଲା । ଜାଗେଶ୍ବର ବାରମ୍ବାର ନିଜକୁ ନିର୍ଦ୍ଦୋଷ ବୋଲି ଚିତ୍କାର କରୁଥିବା କେହି ଶୁଣିନଥିଲେ  ଆଉ ତାଙ୍କ ଜୀବନ ପୂରା ଓଲଟପାଲଟ ହୋଇଯାଇଥିଲା । 

ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଯାଇ ଜେଲ ଭିତରେ ଥାଇବି ନ୍ୟାୟିକ  ଲଢ଼େଇ ଲଢ଼ିଲେ ଜାଗେଶ୍ବର । ଏହି ସମୟ ଭିତରେ ତାଙ୍କର ବଦଳି ହେଲା, ପରେ ସସପେଣ୍ଡ୍ ବି ହେଲେ । ଦରମା ଅଧା କରିଦିଆଗଲା । ଆଉ ପ୍ରମୋସନର ନାଁଗନ୍ଧ ନଥିଲା । ପରିବାରକୁ ଘୋର ଅଭାବ ମାଡ଼ିବସିଲା ।ଚିନ୍ତାରେ ସ୍ତ୍ରୀ ରୋଗୀଣା ହୋଇଗଲେ  ଯେ ଅର୍ଥଭାବରୁ ଚିକିତ୍ସା ବି ହୋଇପାରିଲାନି । ଫି ନଦେଇପାରିବାରୁ ପିଲାଙ୍କୁ ସ୍କୁଲରୁ ବାହାର କରିଦିଆଗଲା । ଝିଅମାନଙ୍କର ବାହାଘର ହୋଇପାରିଲାନି । ଘରେ ଅଧା ଦିନ ଚୁଲି ଜଳିଲାନି ।

ଟ୍ରାଏଲ କୋର୍ଟରେ ଦଣ୍ଡିତ ହୋଇଥିବା ଜାଗେଶ୍ବରଙ୍କୁ ହାଇକୋର୍ଟରେ  ଦୀର୍ଘ ୪୦ ବର୍ଷ ପରେ ନ୍ୟାୟ ମିଳିଲା । କାରଣ ତାଙ୍କ ବିରୋଧରେ କୌଣସି ଲାଞ୍ଚ ପ୍ରମାଣ ନଥିଲା । ହେଲେ ନିର୍ଦ୍ଦୋଷ ପ୍ରମାଣିତ ହେଲା ବେଳକୁ ଆଉ କିଛି ନଥିଲା । ପରିବାର ଏକରକମ୍ ଉଜୁଡ଼ିଯାଇଥିଲା । କେଇଟା କେଜି ରାସନ୍ ଚାଉଳରେ ପରିବାର ବଞ୍ଚିୁଛି ।
 

ଏବେ ୪୦ ବର୍ଷ ପରେ ଘରକୁ ଫେରିଛନ୍ତି ଜାଗେଶ୍ବର , ହେଲେ ପୂରା ଥକିଯାଇଛନ୍ତି, ଆଲମିରାରେ ନିଜ ନିର୍ଦ୍ଦୋଷ ହେବାର ଫାଇଲ ଗୁଡ଼ାକୁ ଦେଖିଲାବେଳକୁ ଆଖି ତାଙ୍କର ଜକେଇ ଆସୁଛି । ପରିବାର ତ ବର୍ବାଦ ହୋଇଗଲା, ଏବେ ଯାହା ବାକି ପେନସନ୍ ଆଉ ନିଲମ୍ବନ ସମୟର ବାକି ଟଙ୍କାତକ ମିଳିଗଲେ ତାଙ୍କ ବାକି ଦିନ କଟିଯାନ୍ତା ବୋଲି ସରକାରଙ୍କୁ ନେହୁରା ହୋଇଛନ୍ତି ଜାଗେଶ୍ବର । ଟିକେ ଚିନ୍ତାକଲେ  ଦେଶର ଜଣେ ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଘରୁ ବସ୍ତା ବସ୍ତା ଟଙ୍କା ବାହାରିଲା, ଘମାଘୋଟ ଯାଞ୍ଚ ହେଲା ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍ କିନ୍ତୁ ଲାଞ୍ଚ ନନେଇେ ବି ମିଛ କେସରେ ଜେଲ୍ ଗଲେ ପୁଣି ନିର୍ଦ୍ଦୋଷ ପ୍ରମାଣିତ ହେବାକୁ ୪୦ ବର୍ଷ ଚାଲିଗଲା , ଆମ ଦେଶରେ ଏ କି ବିଚିତ୍ର ନ୍ୟାୟ ?