କନକ ବ୍ୟୁରୋ : ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ ଇସ୍ତଫା ଦେବାକୁ ନେଇ ବିରୋଧୀ ଦଳ ପକ୍ଷରୁ ପ୍ରତିକ୍ରିୟା ମିଳିଥିବା ବେଳେ ସମସ୍ତେ ଧନଖଡଙ୍କର ଏଭଳି ନିଷ୍ପତ୍ତିକୁ ଆଶ୍ଚର୍ଯ୍ୟକର ବୋଲି କହିବା ସହ ତାଙ୍କ ସୁସ୍ଥ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି । କିନ୍ତୁ ତାମିଲନାଡୁ ରାଜ୍ୟ ସରକାର ଡିଏମକେ ଏହା ଉପରେ ଭିନ୍ନ ପ୍ରତିକ୍ରିୟା ଦେଇଛି । ଡିଏମକେର ପ୍ରବକ୍ତା ସର୍ବନନ ଅନ୍ନାଦୁରଈ କହିଛନ୍ତି ‘ଯେଉଁଭଳି ଭାବରେ ଜଗଦୀପ ଧନଖଡ ସଂସଦର ସଞ୍ଚାଳନ କଲେ , ବିରୋଧୀଙ୍କୁ କେବେ ବି କହିବାକୁ ମଉକା ଦେଲେନି .. ମତେ ଲାଗୁଛି ଭଲ ହେଲା ସେ ଇସ୍ତଫା ଦେଲେ । ମୁଁ ତାଙ୍କର ନିଷ୍ପତ୍ତିକୁ ସ୍ବାଗତ ଜଣାଉଛି । ସେ ଉପରାଷ୍ଟ୍ରପତି ପଦରେ ନ ରହିଲେ କାହାର କିଛି କ୍ଷତି ହେବ ନାହିଁ । ତା’ହେଲେ ଏତେ ଡ୍ରାମା କାହିଁକି ?’ ଡିଏମକେ ପ୍ରବକ୍ତା କହିଛନ୍ତି ‘କେହି ବି ଏ କାହାଣୀ ଉପରେ ବିଶ୍ବାସ କରୁନାହାନ୍ତି ଯେ ଉପରାଷ୍ଟ୍ରପତି ସ୍ବାସ୍ଥ୍ୟ କାରଣରୁ ଇସ୍ତଫା ଦେଇଛନ୍ତି । ଏହା ସମସ୍ତଙ୍କ ପାଇଁ ଏକ ଶିକ୍ଷା , ଆରଏସଏସ୍ ଏବଂ ବିଜେପି ମଧ୍ୟ ତାଙ୍କୁ ସମର୍ଥନ କରୁନାହିଁ ।’ 

Advertisment

ଧନଖଡଙ୍କ ଇସ୍ତଫା ସ୍ବୀକାର ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ? ସ୍ବାସ୍ଥ୍ୟଗତ ସମସ୍ୟା କଥା କହି ଉପରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେଇଥିଲେ ହେଁ ଏହା ପଛରେ ଅନ୍ୟ କିଛି କାରଣ ରହିଛି ବୋଲି ଅନ୍ୟ ନେତାମାନେ କହୁଛନ୍ତି । ତେବେ ସୋସିଆଲ୍ ମିଡିଆରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁ ଏହି ପଦ ପାଇଁ ଚର୍ଚ୍ଚାରେ ରହିଛି । ବିରୋଧୀ ନେତାଙ୍କ କହିବାନୁସାରେ ଧନଖଡ ଯେତେବେଳେ ସୋମବାର ରାଜ୍ୟସଭା ଆସିଥିଲେ ତାଙ୍କ ସ୍ବାସ୍ଥ୍ୟ ଠିକ୍ ଥିଲା । ସେ ସଂସଦକୁ ଭଲଭାବରେ ସଞ୍ଚାଳନ କରିଥିଲେ । କିନ୍ତୁ ଅଚାନକ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଇସ୍ତଫା ନେବା କାରଣକୁ ସହଜରେ ହଜମ କରିପାରୁନାହାନ୍ତି ବିରୋଧୀ ନେତା ।