କନକ ବ୍ୟୁରୋ : ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଜଗଦୀପ ଧନଖଡ଼ ଏବେ ଦିଲ୍ଲୀ ଛତରପୁର ଏନକ୍ଲେବ ସ୍ଥିତ ନିଜ ଘରକୁ ସିଫ୍ଟ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଏହାସହ ସେ ରାଜସ୍ଥାନ ବିଧାନସଭାକୁ ପୂର୍ବ ବିଧାୟକ ପେନସନ୍ ପାଇଁ ଆବେଦନ କରିଛନ୍ତି ।
୭୪ ବର୍ଷିୟ ଧନଖଡ଼ ଜୁଲାଇ ୨୧ ତାରିଖରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏବେ ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ସେପଟେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର କିଛି ସମୟ ପରେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସାମ୍ବିଧାନିକ ନିୟମ ମୁତାବକ ପୂର୍ବ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଟାଇପ-୮ ବଙ୍ଗଳା ଆବଣ୍ଟିତ କରାଯାଏ । ଏହି ଆବଣ୍ଟନ ଆବାସ ଓ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ କରିଥାଏ । ଏକ ଜାତୀୟ ଖବର କାଗଜ ମୁତାବକ ମନ୍ତ୍ରଣାଳୟ କିଛିଦିନ ତଳେ ଧନଖଡଙ୍କୁ ଭେଟିଥିଲା । ହେଲେ ତାଙ୍କୁ ମିଳିବାକୁ ଥିବା ସରକାରୀ ବାସଭବନକୁ ନେଇ କଥା ଆଗକୁ ବଢିପାରିନଥିଲା । ଏହି କାରଣରୁ ଧନଖଡ ଏବେ ନିଜ ଘରକୁ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି ।
ସେପଟେ ଧନଖଡ ପୁଣିଥରେ ରାଜସ୍ଥାନ ବିଧାନସଭାକୁ ଆବେଦନ କରି ପୂର୍ବ ବିଧାୟକ ଭାବେ ପେନସନ୍ ଦାବି କରିଛନ୍ତି । ଧନଖଡ ୧୯୯୩ ରୁ ୧୯୯୮ ପର୍ଯ୍ୟନ୍ତ କଂଗ୍ରେସ ଟିକେଟକରୁ କିଶନଗଡ଼ ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୯ ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ତାଙ୍କ ବିଧାୟକ ପେନସନ୍ ବନ୍ଦ କରାଯାଇଥିଲା । ଏହି କ୍ରମରେ ସେ ୨୦୨୨ରେ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ରାଜସ୍ଥାନ ବିଧାନସଭା ପକ୍ଷରୁ ଧନଖଡଙ୍କ ଆବେଦନ ଉପରେ ପ୍ରକ୍ରିୟା ଆରମ୍ଭ ହୋଇଛି ।