କନକ ବ୍ୟୁରୋ : ଜୁଲାଇ ୨୧ରୁ ଜୁଲାଇ ୨୮...ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ୟା ଭିତରେ ୮ ଦିନ ବିତିଗଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ପଲ୍ଲୀରୁ ଦିଲ୍ଲୀ ସବୁଠି ଏହି ଚର୍ଚ୍ଚା ଏବେବି ଜାରି ରହିଛି । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ସତରେ କ’ଣ ଧନଖଡ଼ଙ୍କ ଦେହ ଏତେ ଅସୁସ୍ଥ ଯେ ସେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ , ନା ୟା ଭିତରେ ଆଉ କିଛି ରହସ୍ୟ ରହିଛି ? ଏହାକୁ ନେଇ ଗତ କିଛି ଦିନ ହେଲା ବେଶ୍ ଆଲୋଚନା , ତର୍କ ଓ ବିତର୍କ ଏବଂ ରାଜନୀତି ଜୋର ଧରିଛି । ଧନଖଡ଼ଙ୍କ ଇସ୍ତଫା ପଛରେ ଅନେକ ରହସ୍ୟ ଥିବାନେଇ ରାଜନୀତିକ ମହଲରେ ଚର୍ଚ୍ଚା ଚାଲିଛି । ଏବେ ପୁଣି ଆଉ ଏକ ରହସ୍ୟ ସାମ୍ନାକୁ ଆସିଛି ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ , ୨୧ ଜୁଲାଇରେ ଧନଖଡ଼ଙ୍କୁ ଜଣେ ମନ୍ତ୍ରୀଙ୍କ ଦ୍ୱାରା ଫୋନ୍ କଲ୍ କରାଗଲା । କୁହାଗଲା ଯେ ଆପଣ ଇସ୍ତଫା ଦିଅନ୍ତୁ , ନଚେତ୍ ଆପଣଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସମସ୍ତେ ପ୍ରସ୍ତୁତ ଅଛନ୍ତି । ଏହି ବିବାଦର ମୂଳଦୁଆ କିଛି ଦିନ ପୂର୍ବରୁ ହିଁ ପଡ଼ିସାରିଥିଲା । ରାଜ୍ୟସଭାରେ ବିରୋଧୀ ସାଂସଦମାନଙ୍କୁ ବାରମ୍ବାର ନିଲମ୍ବନ କରାଯିବା ଏବଂ ଗୃହ କାର୍ଯ୍ୟରେ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ବିରୋଧୀ ଦଳଗୁଡ଼ିକ ଅସନ୍ତୁଷ୍ଟ ଥିଲେ । ସେମାନେ ଧନଖଡ଼ଙ୍କ ଉପରେ ପକ୍ଷପାତିତାର ଅଭିଯୋଗ ଆଣି ତାଙ୍କ ବିରୋଧରେ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଥିଲେ । ଏପରି ସ୍ଥିତିରେ ସରକାର ଚାପରେ ଥିବା ଅନୁମାନ କରାଯାଉଥିଲା । ସରକାର ଏବଂ ଅଧ୍ୟକ୍ଷଙ୍କ ମଧ୍ୟରେ ଥିବା ଦୂରତା ଏକ ଗଭୀର ଫାଟରେ ପରିଣତ ହୋଇସାରିଥିଲା, ଯାହାର ପରିଣାମ ସ୍ୱରୂପ ଏହି ଫୋନ୍ କଲ୍ ଯାଇଥିଲା ବୋଲି ସୂଚନା ମିଳିଛି ।
ସୋମବାର ଅପରାହ୍ଣ ୪:୩୦ରେ ହେବାକୁ ଥାଏ BAC ବୈଠକ । କିନ୍ତୁ ଏହା ପୂର୍ବରୁ ଜଗଦୀପ ଧନଖଡ଼ ୬୩ ଜଣ ବିରୋଧୀ ସାଂସଦଙ୍କ ଦ୍ୱାରା ଅଣାଯାଇଥିବା ବିଚାରପତି ବର୍ମାଙ୍କ ପଦଚ୍ୟୁତି ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନକୁ ଆଗକୁ ବଢ଼ାଇଥିଲେ ଏବଂ କହିଥିଲେ ଯେ ଏହା ଉପରେ ନିଷ୍ପତ୍ତି ଆସନ୍ତାକାଲି ନିଆଯିବ । ଏହା ପରେ ସେ ରାଷ୍ଟ୍ରପତି ଭବନ ଗଲେ । ସେଠାରେ ରାଷ୍ଟ୍ରପତିଙ୍କୁ ଆସିବାକୁ ୨୦ରୁ ୨୫ ମିନିଟ୍ ଲାଗିଥିଲା । ତା'ପରେ ସେ ନିର୍ଦ୍ଧାରିତ ଫର୍ମାଟ୍ ଅନୁଯାୟୀ ରାଷ୍ଟ୍ରପତିଙ୍କୁ ନିଜର ଇସ୍ତଫାପତ୍ର ଦେଇଥିଲେ । ତା'ପରେ ରାତି ୯ଟା ୨୫ ମିନିଟରେ ଜଗଦୀପ ଧନଖଡ଼ 'ଏକ୍ସ'ରେ ପୋଷ୍ଟ କରି ଜଣାଇଥିଲେ ଯେ ସ୍ୱାସ୍ଥ୍ୟଗତ କାରଣରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।