Sikandar Photograph: (Kanak News)
କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ବାଂଲାଦେଶୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଫେରାର ହେବାକୁ ୬ଦିନ ପୁରିଥିଲେ ବି ଏବେ ବି ପୁଲିସ ହାତ ଖାଲି । ସିକନ୍ଦର ଓ ତା' ଭାଇକୁ ଧରିବାରେ ବିଫଳ ଜଗତସିଂହପୁର ପୁଲିସ । ଅନ୍ୟପଟେ ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ କରୁଥିବା ବେଳେ ସିକନ୍ଦର କିପରି ଖସି ପଳାଇଛି ତାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିକନ୍ଦର ପଶ୍ଚିମବଙ୍ଗକୁ ଚାଲି ଯାଇଥିବା ଅନୁମାନ କରାଯାଉଛି । ସେପଟେ ମାତ୍ର ଦେଢ଼ ଘଣ୍ଟାରେ ପୁଲିସ ନାକ ତଳୁ କେମିତି ଖସି ପଳାଇଲା ସିକନ୍ଦର, ତାହାକୁ ନେଇ ଉଠିଛି ପ୍ରଶ୍ନ ।
ଅଧିକ ପଢ଼ନ୍ତୁ : ମିଳୁନି ସିକନ୍ଦରର ପତ୍ତା : ଖୋଜିବା ପାଇଁ କେନ୍ଦ୍ରାପଡ଼ା, ଭଦ୍ରକରେ ବି ଚାଲିଛି ଚଢ଼ାଉ
ସୂଚନା ଅନୁସାରେ, ଗତ ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁର ବସ୍ତିରେ ଚଢ଼ାଉ କରିଥିଲା ପୁଲିସ । ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ସନ୍ଦେହରେ ହୋଇଥିଲା ଚଢ଼ାଉ । ଅତିରିକ୍ତ ଏସ୍ପି, ତରିକୁନ୍ଦ ବିଟ୍ ହାଉସ୍ ଅଧିକାରୀ ଓ ମହିଳା କନଷ୍ଟେବଳ ସମେତ ୫ଜଣ ସାମିଲ । ଚଢ଼ାଉ କରିବା ମାତ୍ରେ ସିକନ୍ଦରର ଦୁଇ ଭଉଣୀ ପୁଲିସ୍କୁ କରିଥିଲେ ଆକ୍ରମଣ । ଏହାର ସୁଯୋଗ ନେଇ ସିକନ୍ଦର ଓ ତା ଭାଇ ମୋତାଲିଫ୍ ହୋଇଥିଲେ ଫେରାର୍ । ଯିବାବେଳେ ସାଙ୍ଗରେ ସିସିଟିଭି ହାର୍ଡ ଡିସ୍କ ଧରି ମାରିଥିଲା ଚମ୍ପଟ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ଅଧିକ ଫୋର୍ସ ମଗାଯାଇଥିଲା । ଅଧିକ ଫୋର୍ସ ଓ ଅଧିକାରୀ ପହଞ୍ଚିବାବେଳକୁ ଦେଢ଼ଘଣ୍ଟା ବିତି ସାରିଥିଲା । ଆଉ ଏହି ସମୟ ଭିତରେ ଚମ୍ପଟ ମାରିଥିଲା ସିକନ୍ଦର । ତୁରନ୍ତ ସିକନ୍ଦରର ପିଛା କରାଯାଇ ନଥିବାରୁ ଖସିଯାଇଥିବା ସୂଚନା ଦିଆଯାଇଛି ।
ଦେଶର ବିଭିନ୍ନ ସରକାର ଏବେ ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଧରପଗଡ଼ ଭୟରେ ଅନ୍ୟ ରାଜ୍ୟରୁ ପଳାଇ ଆସୁଥିବା ଏହି ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶା ଆଡ଼କୁ ମୁହାଁଇବା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ କରି ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର) ଫଳରେ ଶହ ଶହ ସଂଖ୍ୟାରେ ବାଂଲାଦେଶୀ ଏବେ ଦେଶ ଛାଡ଼ୁଥିବାର ଭିଡିଓ ନଜରକୁ ଆସୁଛି । ଏହି ଅନୁପ୍ରବେଶକାରୀମାନେ ପ୍ରକୃତରେ ବାଂଲାଦେଶକୁ ଫେରିବେ ନା ଅନ୍ୟ ଗଳା ବାଟ ଦେଇ ଓଡ଼ିଶାକୁ ପଶି ଆସିବେ ? ଏଭଳି ସ୍ଥିତିରେ ସେମାନଙ୍କୁ ରୋକିବା ଏବେ ପ୍ରଶାସନ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି ।
Follow Us