କନକ ବ୍ୟୁରୋ: ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଆଜି ଶେଷ ଦିନ । ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥଯାତ୍ରା, ସୁନାବେଶ ଓ ଅଧରପଣା ସାରି ମହାପ୍ରଭୁ ଆଜି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦିରେ ପୁଣି ବିରାଜମାନ କରିବେ । ହେଲେ ଏହାପୂର୍ବରୁ ମହାପ୍ରଭୁଙ୍କୁ ମା’ ଲକ୍ଷ୍ମୀଙ୍କୁ ସାମ୍ନା କରିବାକୁ ପଡ଼ିଛି । 

Advertisment

ମହାପ୍ରଭୁଙ୍କ ମାନବୀୟ ଲୀଳା । ବଡ଼ ଭାଇ ଓ ସାନ ଭଉଣୀଙ୍କୁ ଧରି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ କାଳିଆ ଠାକୁର । ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିବାରୁ ସେ ଅଭିମାନ କରିବା ବିଧି ରହିଛି । ଘୋଷଯାତ୍ରା ପରେ ଯେତେବେଳେ ଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିବା ବେଳେ ମହାଲକ୍ଷ୍ମୀ ତାଙ୍କ ବାଟ ଓଗାଳିଇବା ପରମ୍ପରା ରହିଛି ।

ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି ମହାପ୍ରଭୁ । ରଥଯାତ୍ରାର ଅନ୍ତିମ ପର୍ବରେ ଏହି ରୀତିନୀତି ପାଳିତ ହୁଏ । ଦାମ୍ପତ୍ୟ ଜୀବନର ଏହି ମାନ ଅଭିମାନକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ଜଗତର ଠାକୁର ଜଗନ୍ନାଥ ମଧ୍ୟ ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ମାଗିଥାଆନ୍ତି ।