କନକ ବ୍ୟୁରୋ : ଜଗା ଶୁଣେ…ତୋ ସହ ମୋର କିଛି କଥା ନାହିଁ , ମୁଁ ତୋ ଉପରେ ବହୁତ ରାଗିଛି । ଆଉ କାହିଁକି ରାଗିଛି ଏ କଥା ବି ତୁ ବହୁତ ଭଲ ଭାବେ ଜାଣିଛୁ । କାଳିଆରେ ଏ ସବୁ କ’ଣ ହେଉଛି ରେ... ? ତୁ ସହି ପାରୁଛୁନା ଏ ସବୁ ଦେଖି , ତୋତେ କ’ଣ ଟିକିଏ ବି କଷ୍ଟ ହେଉନି ? ତୁ କ’ଣ ସତରେ ଦାରୁ ପାଲଟି ଯାଇଛୁ ? ଏତେ ବଡ଼ ବଡ଼ ଆଖି ଯୋଡ଼େ ପାଇଛୁ ପରା , ସବୁ ଦେଖିବୁ ବୋଲି ତୋର ପଲକ ବି ନାହିଁ । ତାହେଲେ... ତୋ ଶରଣରେ..ତୋ ଆଖି ଆଗରେ ଏତେ ସବୁ ଅଘଟଣ ହେଉଛି କେମିତି ? ତୁ କଥା ସିନା କହିପାରୁନା ହେଲେ ତୋ ଇସାରାରେ ପରା ସମୟ ଗଡ଼େ, ମୋ ନିଶ୍ବାସ ଚାଲେ ଏ ସାରା ସଂସାରର ରଥ ଚାଲେ । 

Advertisment

ତୋ ଦର୍ଶନ ଟିକେ ପାଇବା ପାଇଁ କାହିଁ କେତେ ଦୂରରୁ ଖୁସିରେ ଦୌଡ଼ି ଆସୁଛନ୍ତି ଭକ୍ତମାନେ । ଏମିତି କି ରାତି ଅନିଦ୍ରା ହୋଇ ବି ତୋ ବଡ଼ଦାଣ୍ଡରେ ଅଧିଆ ପଡ଼ିଥିଲେ, ବର୍ଷାକୁ ଖାତିର ନକରି ତୋ ଭାବରେ ଭିଜିବାକୁ କିଏ କେତେ ବ୍ୟାକୁଳ ଥିଲାରେ । ହଁ ମନରେ ଇଚ୍ଛା ଥିଲା ତୋର ସେ ନାଲି ଅଧରକୁ ଟିକିଏ ମନଭରି ଦେଖିବାକୁ, ମୋ ଭାଇ-ଭଉଣୀ ସହ ତୋ ଭାଇ-ଭଉଣୀଙ୍କୁ ଦେଖିବାକୁ ଆଉ କୋଟି ପୂଣ୍ୟ ପାଇଁ ତୋ ରଥ ଦଉଡ଼ି ଛୁଇଁବାକୁ । ତୋ ପାଇଁ ଏ ଭାବ ଓ ଭକ୍ତି, ଏ ଶ୍ରଦ୍ଧା, ସ୍ନେହ-ପ୍ରେମ ଦେଖେଇବା କ’ଣ ଭକ୍ତଙ୍କର ଭୁଲ୍? ତୁ ପରା ଭିଡ଼ର ଠାକୁର, ଭାବର ଠାକୁର ତୋତେ କ’ଣ କିଛି ଫରକ ପଡ଼ୁନି ?

ଥରେ ଦେଖେ ତୋ ଶରଧାବାଲିରେ ଲୁହ ବଦଳରେ ଲହୁର ନଦୀ ବହୁଛି । ଛୁଆଟିଏ ତା ମାଆ ପାଇଁ କେତେ ବିକଳ ହୋଇ କାନ୍ଦୁଛି । ନିଜେ ବା ଏକା ରହିପାରୁନୁ ବୋଲି ତୋ ଭାଇ ଭଉଣୀକୁ ସାଙ୍ଗରେ ଧରି ବୁଲୁଛୁ । ତାହେଲେ ତୋ ନିରୀହ ଭକ୍ତଙ୍କୁ କାହିଁକି ତାଙ୍କ ଭାଇ ଭଉଣୀଠୁ ଅଲଗା କଲୁ ? ନିଜ ଲୋକମାନଙ୍କୁ ହରାଇ ସମସ୍ତେ ପାଗଳ ପ୍ରାୟ , ହେଲେ ତୁ...ସେମିତି ଚୁପ୍‌ ବସିଛୁ । ମୁଁ ଜାଣେ ତୁ ସେମିତି ହିଁ ବସି ରହିବୁ , ସତରେ ତୁ ବଡ଼ ନାଟୁଆ ଟା , ନାଟ ଲଗେଇ ବସିଯାଇଛୁ । କାରଣ ତୁ ଜାଣିଛୁ ଏଭଳି ଅଘଟଣ ପାଇଁ ତୋ ଦୋଷ କେହି ଦେବେନି । ତୋ ରଥ ଅଟକିଥିଲା ବୋଲି ସବୁ ତୋର ଇଚ୍ଛା ବୋଲି କହି ଖସିଯାଇଥିଲେ । ଏବେ କିନ୍ତୁ ବିରୋଧୀ, ସରକାର ଉପରେ ଦୋଷ ଲଦିବ ଆଉ ସରକାର ପ୍ରଶାସନର ବ୍ୟବସ୍ଥାର ଉପରେ । ଆଉ ତୁ ତୋ ଚକାଡୋଳାରେ ସବୁ ଦେଖୁଥିବୁ । ସତରେ... ତୁ ଠକି ଦେଲୁ ଭକ୍ତମାନଙ୍କୁ , ନାଟ ଲଗେଇ ଚୁପ୍‌ ହୋଇ ବସିଛୁ । ହଁ ସବୁ ଦୋଷ ତୋର , ନା ସରକାରର ନା ପ୍ରଶାସନର , ଜଗା.. ତୁ ହିଁ ଦୋଷୀ । ମୁଁ ତୋର ଗୋଟେ ଭକ୍ତ ଭାବେ ତୋ ଉପରେ ମୋ ଅଭିମାନ ସବୁ ଉତାରିଦେଲି, ବାକି ତୁ ଯାହା କରୁଛୁ କିଛି ଠିକ୍ କରୁନୁ… ମୁଁ ଜାଣିଛି ଚକା ଆଖି ସବୁ ଦେଖୁଛି…