କନକ ବ୍ୟୁରୋ: ଇଂଲଣ୍ଡ ଗସ୍ତ ପାଇଁ ଯୁବ ବ୍ୟାଟସମ୍ୟାନ୍ ଶୁବମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ କରାଯାଇଛି, ଆଉ ଋଷଭ ପନ୍ତଙ୍କୁ ଉପ-ଅଧିନାୟକ ଭାବେ ଦାୟିତ୍ୱ ମିଳିଛି । ତେବେ ଏହାରି ଭିତରେ ନିଜ ମନ କଥା କହିଛନ୍ତି ଭାରତୀୟ ଦଳର ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଜାଡେଜା କହିଛନ୍ତି ଯେ ସେ ଗୋଟିଏ ଦିନ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବାକୁ ଚାହାନ୍ତି । ପ୍ରକୃତରେ, ତାଙ୍କର ଦୀର୍ଘ ଦିନର କ୍ୟାରିୟରରେ ବିଭିନ୍ନ ଅଧିନାୟକଙ୍କ ସହ ଖେଳି ସେ ଏହି ଭୂମିକାକୁ ବହୁତ ଭଲ ଭାବରେ ବୁଝିପାରିଛନ୍ତି ବୋଲି କହିଛନ୍ତି ।
ରବିଚନ୍ଦ୍ରନ ଅଶ୍ୱିନଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି ଖୁଲାସା କରିଛନ୍ତି ଜାଡେଜା । ଅଶ୍ୱିନ ତାଙ୍କୁ ପଚାରିଥିଲେ, ଭାରତର ଟେଷ୍ଟ ଅଧିନାୟକ ହେବାକୁ ସେ ଚାହାନ୍ତି କି? ଏହାର ଉତ୍ତରରେ ଜାଡେଜା କହିଥିଲେ, 'ହଁ, ନିଶ୍ଚିନ୍ତ ।' ବର୍ଷ ବର୍ଷ ଧରି, ମୁଁ ବିଭିନ୍ନ ଅଧିନାୟକଙ୍କ ଅଧୀନରେ ଖେଳିଛି । ମୁଁ ପ୍ରତ୍ୟେକ ଅଧିନାୟକଙ୍କ ଶୈଳୀକୁ ଜାଣେ ଏବଂ ଖେଳାଳିମାନେ କ’ଣ ଭାବନ୍ତି ଏବଂ କ’ଣ ଚାହାନ୍ତି ତାହା ମଧ୍ୟ ବୁଝେ ।
୨୦୧୨ରେ ଭାରତ ପାଇଁ ପ୍ରଥମ ଟେଷ୍ଟ ଖେଳିଥିବା ଜାଡେଜା ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ତିନୋଟି ଫର୍ମାଟରେ ଡେବ୍ୟୁ କରିଥିଲେ ଏବଂ ଆଇପିଏଲରେ ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ମଧ୍ୟ ଖେଳିଥିଲେ । ଜାଡେଜା ଏପର୍ଯ୍ୟନ୍ତ ୮୦ଟି ଟେଷ୍ଟ ମ୍ୟାଚ୍ ଖେଳି ସାରିଛନ୍ତି ।
ଜାଡେଜା କହିଥିଲେ, 'ପ୍ରତ୍ୟେକ ଅଧିନାୟକଙ୍କର ନିଜସ୍ୱ ଶୈଳୀ ଥାଏ ।' ମୁଁ ପ୍ରତ୍ୟେକ ଫର୍ମାଟରେ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଖେଳିଛି ଏବଂ ତାଙ୍କର ଚିନ୍ତାଧାରା ବହୁତ ସରଳ । ଯଦି ସେ ଭାବନ୍ତି ଯେ ଜଣେ ବ୍ୟାଟସମ୍ୟାନ୍ ଗୋଟିଏ ସ୍ଥାନରେ ସଟ୍ ଖେଳିପାରିବେ, ତେବେ ସେ ନିଶ୍ଚିତ ଭାବରେ ସେଠାରେ ଜଣେ ଫିଲ୍ଡରଙ୍କୁ ରଖିବେ ।
ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ଅବସର ପରେ, ଅଶ୍ୱିନ ଜାଡେଜାଙ୍କୁ ଅଧିନାୟକ କରିବାର ସମର୍ଥନରେ ଥିଲେ । ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲେ, 'ଆମେ ରବିନ୍ଦ୍ର ଜାଡେଜାଙ୍କୁ କାହିଁକି ଭୁଲିଯାଉଛୁ?' ଯଦି ଜଣେ ନୂତନ ଅଧିନାୟକ ଆବଶ୍ୟକ ହୁଏ, ତେବେ ମୁଁ କହିବି ଯେ ଦୁଇ ବର୍ଷ ପାଇଁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କୁ କମାଣ ହସ୍ତାନ୍ତର କରିବା ପାଇଁ ।
ରୋହିତ, ବିରାଟଙ୍କ ଅବସର ପରେ ଅଭିଜ୍ଞ ଖେଳାଳି ଭାବେ ଜାଡେଜାଙ୍କୁ ଟେଷ୍ଟ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରାଯିବା ନେଇ ଚର୍ଚ୍ଚା ହେଉଥିଲା । କାରଣ ବର୍ତ୍ତମାନ ଦଳରେ ଜାଡେଜା ହିଁ ଏକମାତ୍ର ଅଭିଜ୍ଞ ଖେଳାଳି । ହେଲେ ଏପରି ହୋଇନଥିଲା । ଜାଡେଜା ଦୀର୍ଘ ବର୍ଷ ଧରି ଦଳରେ ଅନେକ ଅଧିନାୟକଙ୍କ ଅଧୀନରେ ଖେଳିଥିଲେ ବି କେବେ ଅଧିନାୟକ ଭାବେ ଦାୟିତ୍ୱ ନେଇନଥିଲେ । ତେଣୁ ଟେଷ୍ଟରେ ତାଙ୍କର ଭଲ ଅଭିଜ୍ଞତା ଓ ଅନୁଭବ ରହିଛି ।
ଜାଡେଜା ତାଙ୍କ କ୍ୟାରିୟର ଭିତରେ ୮୦ ଟେଷ୍ଟ ମ୍ୟାଚ ଖେଳି ୩ ହଜାର ୩୭୦ ରନ କରିଛନ୍ତି । ଯେଉଁଥିରେ ସେ ୨୨ ଅର୍ଦ୍ଧଶତକ ଓ ୪ ଶତକ ହାସଲ କରିଛନ୍ତି । ରୋକୋଙ୍କ ପରେ ଜାଡେଜା ବି ଟେଷ୍ଟରୁ ଖୁବଶୀଘ୍ର ଅବସର ନେଇପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି ।