କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଉପରେ ଖସିଲା ଦୁଃଖର ପାହାଡ଼ ।  ଆଜି(ରବିବାର) ଅଭିନେତ୍ରୀଙ୍କ ମାଆଙ୍କ ଦେହାନ୍ତ ହୋଇଛି । ଜ୍ୟାକଲିନଙ୍କ ମାଆ ଗତ କିଛି ଦିନ ଧରି ଅସୁସ୍ଥ ରହିଥିଲେ । ସେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ ।  କିନ୍ତୁ ଆଜି(ଏପ୍ରିଲ ୬) ସେ ଶେଷ ନିଶ୍ୱାସ ତ୍ୟାଗ କରିବା ସହ ଏହି ଦୁନିଆକୁ ସବୁଦିନ ପାଇଁ ଅଲ୍‌ବିଦା କହିଛନ୍ତି । 

Advertisment

ଜ୍ୟାକଲିନ ଙ୍କ ମାଆ କିମ୍ ଫର୍ଣ୍ଣାଣ୍ଡିଜ ହୃଦଘାତର ଶିକାର ହୋଇଥିଲେ, ତାଙ୍କୁ ଗତ ମାର୍ଚ୍ଚ ୨୪ ତାରିଖରେ ମୁମ୍ବାଇ ସ୍ଥିତ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁ (ଇଣ୍ଟେନ୍ସିଭ କେୟାର ୟୁନିଟ୍)ରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ରଖା ଯାଇଥିଲା । ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ବିଫଳ ସାବ୍ୟସ୍ତ ହୋଇଛି  । ଅସୁସ୍ଥତାର ଖବର ପାଇବା ମାତ୍ରେ ଜ୍ୟାକଲିନ୍ ତାଙ୍କ ସୁଟିଂ ଛାଡ଼ି ତୁରନ୍ତ ତାଙ୍କ ମାଆଙ୍କ ପାଖରେ ପହଞ୍ଚି ଯାଇଥିଲେ । ଜ୍ୟାକଲିନ ହସ୍ପିଟାଲରେ ତାଙ୍କ ମାଆଙ୍କ ଦେଖାରଖା କରୁଥିଲେ । ସଲ୍‌ମାନ୍‌ ଖାନ୍‌ ମଧ୍ୟ ଜ୍ୟାକଲିନଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ । କାରଣ ବଲିଉଡ୍‌ରେ ଜ୍ୟାକଲିନ ସଲମାନ୍‌ଙ୍କ ଜଣେ ଭଲ ବନ୍ଧୁ । ହସ୍ପିଟାଲ ବାହାରୁ ତାଙ୍କର ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା । 

ଜ୍ୟାକଲିନ ତାଙ୍କ ମାଆଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି । କାରଣ ଏହି ଅଭିନେତ୍ରୀ ତାଙ୍କ ମାଆଙ୍କ ଖୁବ ନିକଟତର ଥିଲେ । ଜ୍ୟାକଲିନ ଙ୍କ ମାଆ କିମ ଫର୍ଣ୍ଣାଣ୍ଡିଜ୍‌ ହୁଏତ ସବୁବେଳେ ଲାଇମଲାଇଟରୁ ଦୂରରେ ରହୁଥିଲେ, କିନ୍ତୁ ସେ ତାଙ୍କ ଝିଅ ଜ୍ୟାକଲିନ ଙ୍କ ଜୀବନର ସବୁଠାରୁ ବଡ଼ ସମର୍ଥକ ଥିଲେ । କାରଣ ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ଜ୍ୟାକଲିନ ଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଛି । ବିଶେଷ କରି ସୁକେଶ ଚନ୍ଦ୍ରଶେଖର ମାମଲାରେ ଛନ୍ଦି ହୋଇଛନ୍ତି ଜ୍ୟାକଲିନ ।  ଏପରି ପରିସ୍ଥିତିରେ, ତାଙ୍କ ମାଆ ଚାଲିଯିବା ପରେ ଜ୍ୟାକଲିନ କେତେ ଯନ୍ତ୍ରଣା ଅନୁଭବ କରିବେ ତାହା ହୁଏତ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । 

ଜ୍ୟାକଲିନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ, ସେ ହାଉସଫୁଲ-୨, ମର୍ଡର-୨, କିକ୍, ବ୍ରଦର୍ସ, ଢିଶୁମ ଏବଂ ଜୁଡୱା-୨ଭଳି ଫିଲ୍ମରେ ନିଜର ଜଲୱା ଦେଖାଇଛନ୍ତି । ଜ୍ୟାକଲିନ ଶେଷ ଥର ପାଇଁ ସୋନୁ ସୁଦ୍‌ଙ୍କ ସହ 'ଫତେହ' ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସ୍‌ରେ ସେତେଟା ଭଲ କଲେକ୍ସନ କରି ପାରିନଥିଲା ।