କନକ ବ୍ୟୁରୋ : ବିଭିନ ସ୍ଥାନରେ ଦେଖିବାକୁ ମିଳିଛି ଲୋ ଭୋଲ୍ଟେଜ ସମସ୍ୟା । ଜଳୁନି ବଲ୍‌ବ, ବୁଲୁନି ଫ୍ୟାନ୍‌ । ଗରମ ଗୁଳୁଗୁଳିରେ ସିଝୁଛନ୍ତି ଲୋକେ । ଖୋର୍ଦ୍ଧା ଜିଲ୍ଲାରେ ଏବେ ଏହି ସମସ୍ୟାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ । ପ୍ରଚଣ୍ଡ ରୌଦ୍ରତାପ । ଦିନରେ ହେଉଥିବା ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଉଛି କାଳବୈଶାଖୀ । ବିଦ୍ୟୁତ୍‌ ବିଭାଗ ସତେ ଯେମିତି ମୁହଁ ବୁଲେଇ ଦେଇଛି ।

Advertisment

ଅଘୋଷିତ ବିଦ୍ୟୁତ୍‌ କାଟ୍‌ ସାଙ୍ଗକୁ ଲୋ-ଭୋଲଟେଜ୍‌ । ଖୋର୍ଦ୍ଧାରେ ଲୋକଙ୍କୁ ଅଣନିଶ୍ୱାସୀ କଲାଣି । ଝାଳ-ନାଳ ହୋଇ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଫ୍ୟାନ୍‌ ବୁଲୁନି କି କମ୍ପ୍ୟୁଟର ଚାଲୁନି । ବୋଲଗଡ଼ ବାଙ୍କୋଇ ଅଞ୍ଚଳରେ ଫ୍ୟାନ ବୁଲୁଛି, ହେଲେ ପତ୍ର ଗଣି ହୋଇଯାଉଛି । ଦେହରୁ ଝାଳ ଶୁଖୁନି । ଫ୍ୟାନ ଆଗରେ ପିଲାଙ୍କୁ ବସାଇ ବିଞ୍ଚଣାରେ ବିଞ୍ଚି ଚାଲିଛନ୍ତି ବୁଢ଼ୀ ମାଆ ।

ଦାଣ୍ଡ ପିଣ୍ଡା ହେଉ ଅବା ଗଛ ମୂଳ । କେହି କେହି ଚାନ୍ଦିନୀ ଉପରେ ବସି ବିଞ୍ଚି ହେଉଛନ୍ତି । କାରଣ ଘରେ ପଶି ହେଉନି । ଗରମ, ଗୁଳୁଗୁଳିଠୁ ବଳି ପଡ଼ିଛି ଲୋ-ଭୋଲ୍‌ଟେଜ୍ । ଫ୍ୟାନ୍‌ ବୁଲୁନଥିବା ବେଳେ ଏସି, କୁଲର କଥା ଚିନ୍ତା କରିବା ସଂପୂର୍ଣ୍ଣ ଭୁଲ୍‌ । ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼, ବେଗୁନିଆ, ଟାଙ୍ଗୀ, ସୁନାଖଳା, ବାଙ୍କୋଇ, ଆରିକମା ଭଳି ଅଞ୍ଚଳରେ ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ ।

ସେପଟେ ବୋଲଗଡ଼ ବ୍ଲକ ପାଟପୁର ଶାସନ ଶ୍ରୀରାମପୁର ଅସନ୍ତୋଷ ଝାଡ଼ିଲେଣି ଲୋକେ । ଦିନେ ନୁହେଁ କି ଦୁଇଦିନ ୨ବର୍ଷରୁ ଅଧିକ ସମୟ ଧରି ଲୋ-ଭୋଲ୍ଟେଜ ସମସ୍ୟା ଲାଗି ରହିଛି । ତଥାପି ବିଭାଗ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।