କନକ ବ୍ୟୁରୋ : ମହାବାତ୍ୟାକୁ ପୂରିଲା ୨୫ ବର୍ଷ । ୧୯୯୯ ମସିହା ଆଜିର ଦିନରେ ଶତାବ୍ଦୀର ସବୁଠୁ ବଡ଼ ବିପର୍ୟ୍ୟୟକୁ ସାମ୍ନା କରିଥିଲା ଓଡ଼ିଶା । ଗଦା ହୋଇଯାଇଥିଲା ଶବର ପାହାଡ । ଜୀବନ ହରାଇଥିଲେ ୧୦ ହଜାର ଲୋକ । ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା । ଭାଙ୍ଗି ପଡ଼ିଥିଲା ଓଡ଼ିଶାର ମେରୁଦଣ୍ଡ । ୨୫ ବର୍ଷ ପରେ ଆଜି ବି ଲୋକଙ୍କ ମନରୁ ଲିଭିନି ସେତେବେଳର ଅନୁଭୂତି । ଏହି ମହାବାତ୍ୟାରେ ସବୁଠୁ ବେଶୀ ପ୍ରଭାବିତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ । ଏଠାରେ ପ୍ରତ୍ୟେକ ପରିବାର ନିଜ ଆଖି ଆଗରେ ନିଜର ପ୍ରିୟଜନଙ୍କୁ ହରାଉଥିବାର ଦେଖିଛନ୍ତି । କାହାର ଭାସିଯାଇ ଜୀବନ ଯାଇଥିଲା ତ କିଏ ଗଛ ଓ ଘର ଭିତରେ ଚାପି ହୋଇ ପ୍ରାଣ ହରାଇଥିଲେ ।
ମହାବାତ୍ୟା ସିନା ଚାଲି ଯାଇଛି, ହେଲେ ମହାବାତ୍ୟାକୁ ଅଙ୍ଗେ ଲିଭାଇଥିବା ଓ ଏହାକୁ ସାମ୍ନାକରି ନିଜ ପରିବାର ଜନଙ୍କୁ ହରାଇଥିବା ଲୋକଙ୍କ ମନରୁ ସେଦିନର କରାଳ ରୂପ ଓ ଭୟ ମନରୁ ଯାଉନି । ଆଉ ବାତ୍ୟା ନାଁ ଶୁଣିଲେ ଏମାନେ ଆତଙ୍କିତ ହୋଇପଡନ୍ତି । ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । କରଞ୍ଜଡିହ ପରି ଅନେକ ଗାଁ ରହିଛି, ଯେଉଁଠି କି ଯିବାପାଇଁ ନା ଅଛି ଖଣ୍ଡେ ଭଲ ରାସ୍ତା, ନା ଅଛି ପାନୀୟଜଳ ଯୋଗାଣ ନା ମିଳିଛି ଖଣ୍ଡେ ପକ୍କା ଘର । ଏ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଏପରି ସମସ୍ୟା ଘେରରେ ରହୁଥିବା ଲୋକଙ୍କ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।