କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟେସନ ଠାରେ ଦୁଇ ବର୍ଷ ତଳେ ଆଜିର ଦିନରେ ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା । ତିନୋଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବାରୁ ଯାଇଥିଲା ୨୯୬ ଜଣଙ୍କ ଜୀବନ । ସେଦିନ ଅନ୍ଧକାର ରାତିରେ ଲୌହଦାନବ ରଚିଥିଲା ରକ୍ତ ଭୋଜି । କୁଢ଼ କୁଢ଼ ମୃତଦେହ ସମସ୍ତଙ୍କୁ ଧୈର୍ଯ୍ୟହରା କରିଥିଲା । ଯେଉଁଠି ନାହିଁ ସେଇଠି ପଡିଥିଲା ମୃତଦେହ । ରେଳ ବଗିରୁ ବାହାରକୁ ବାହାରିବା ପାଇଁ କରୁଥିଲେ ଚିତ୍କାର । କିଏ ହରାଇଥିଲା ମାଆ କୁ ତ କିଏ ହରାଇଥିଲା ବାପାକୁ, କିଏ ହରାଇଥିଲା ଭଉଣୀକୁ ତ କିଏ ପୁଣି ନିଜ ଶଙ୍ଖା ସିନ୍ଦୁରକୁ ।

Advertisment

ଅନ୍ଧାରକୁ ଚିରି ଟ୍ରାକରେ ଗଡୁଥିଲା କରମଣ୍ଡଳ ଏକ୍ସପ୍ରେସ । ଗନ୍ତବ୍ୟ ସ୍ଥଳର ନିକଟତର ହେଉଥିଲେ ଯାତ୍ରୀ । କିଏ ପରିବାର ସହ ତ କିଏ ସାଙ୍ଗ ସାଥିଙ୍କ ସହ ହସଖୁସିରେ ମଜି ଯାଇଥିଲେ । ହଠାତ୍ ଏକ ଭୟଙ୍କର ଶବ୍ଦ ହୋଇଥିଲା । ନିମିଷକ ମଧ୍ୟରେ ସବୁ କିଛି ଛାରଖାର ହୋଇ ଯାଇଥିଲା । ଆଖି ବୁଜିଥିଲେ ଶହ ଶହ ଯାତ୍ରୀ, ରକ୍ତରେ ଭିଜିଥିଲା ବାହାନଗା ଟ୍ରେନ୍‌ ଟ୍ରାକ୍‌ ।

୨୦୨୩ ଜୁନ ୨ ତାରିଖ, ସନ୍ଧ୍ୟା ୭ ଟା ।  ହଠାତ୍ ଖବର ଆସିଲା ବାହାନଗାରେ ଏକ ଟ୍ରେନ ଦୁର୍ଘଟଣାଗସ୍ତ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏହାର ଶବ୍ଦରେ ଥରି ଉଠିଥିଲା ପୁରା ବାହାନଗା ଅଞ୍ଚଳ । ଆଉ କିଛି ସମୟରେ ମଧ୍ୟରେ ସ୍ପଷ୍ଟ ହୋଇଯାଇଥିଲା ଯେ, ଗୋଟିଏ ନୁହେଁ ଏକା ସହ ଦୁର୍ଘଟଣାର ଶିକାର ହୋଇଛି ତିନି ଟ୍ରେନ । ଦୁର୍ଘଟଣାରେ୨୯୬ ଜଣ ନିରୀହ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ ।

କେମିତି ହୋଇଥିଲା ଦୁର୍ଘଟଣା?

ସେଦିନ ଥିଲା ଶୁକ୍ରବାର, ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ । ଦୃତ ବେଗରେ ଯାଉଥିବା କରମଣ୍ଡଳ ହଠାତ୍ ବାହାନଗାରେ ଲୁପ ଲାଇନକୁ ଚାଲିଯାଇ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନର ୨୧ ଟି ବଗି ଟ୍ରାକରୁ ଅଲଗା ହେବା ସହ ଅନ୍ୟ ଟ୍ରାକରେ ପଡିଥିଲା । ଆଉ ଏହି ସମୟରେ ଅପର ପାର୍ଶ୍ୱରୁ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସ କରମଣ୍ଡଳ ବଗିରେ ପିଟି ହୋଇ ଦୁର୍ଘଟଣାଗସ୍ତ ହୋଇଥିଲା । ଯାତ୍ରୀଙ୍କୁ ଉଦ୍ଧାର ପାଇଁ କଟକ, ଭୁବନେଶ୍ୱରରୁ ଛୁଟିଥିଲା ଶତାଧିକ ଆମ୍ବୁଲାନ୍ସ । ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁ ଉଦ୍ଧାର କାର୍ଯ୍ୟ ଶୀଘ୍ର ହେବା ସହ ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇଥିଲା ।

ବାହାନଗା ଷ୍ଟେସନରେ ସିଗନାଲ ସିଷ୍ଟମର ବିଫଳତା ଯୋଗୁ ଏଭଳି ଦୁର୍ଘଟଣା ହୋଇଥିଲା । ପରେ ସିବିଆଇ ଘଟଣାର ତଦନ୍ତ କରି ତିନି ରେଲୱେ ଅଧିକାରୀଙ୍କୁ ଏଥିପାଇଁ ଦୋଷୀ ସାବ୍ୟସ୍ତ କରିଥିଲା । ଏଭଳି ଭୁଲ ଯୋଗୁ ଯେପରି ଆଉ ଦୁର୍ଘଟଣା ନହୁଏ, ସେଥିପ୍ରତି ସବୁ ପଦକ୍ଷେପ ଗ୍ରହଣ କରିଥିଲା ରେଳ ବିଭାଗ ।