ଆଫଗାନିସ୍ତାନ ଯୁଦ୍ଧରେ ନାଟୋ ମେଣ୍ଟ ଓ ଏହାର ସହଯୋଗକୁ ନେଇ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ସାର୍ବଜନୀନ ବିତର୍କ ଆରମ୍ଭ ହୋଇଛି। ଆଫଗାନିସ୍ତାନରେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ନାଟୋ ସହଯୋଗୀମାନେ ଆମେରିକାକୁ ପୂର୍ଣ୍ଣ ସମର୍ଥନ କରି ନଥିବା ଟ୍ରମ୍ପଙ୍କ ବିବୃତି ଉପରେ ମେଲୋନି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପ୍ଟେମ୍ବର ୧୧ ଆକ୍ରମଣ ପରେ ନାଟୋ ଦେଖାଇଥିବା ଏକତା ପ୍ରତି ଏହା ଅପମାନ ବୋଲି ମେଲୋନି କହିଛନ୍ତି।
ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ
ଜାନୁଆରି ୨୨ ତାରିଖରେ, ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ସମୟରେ, ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ କହିଥିଲେ ଯେ, ଆମେରିକା କେବେ ବି ନିଜ ସହଯୋଗୀଙ୍କଠାରୁ କିଛି ଆବଶ୍ୟକ କରି ନାହିଁ କିମ୍ବା ମାଗି ନାହିଁ। ଟ୍ରମ୍ପ ଦାବି କରିଥିଲେ ଯେ, ନାଟୋ ଦେଶମାନେ ଆଫଗାନିସ୍ତାନକୁ କିଛି ସୈନ୍ୟ ପଠାଇଥିଲେ। କିନ୍ତୁ ସେମାନେ ସର୍ବଦା ଆଗ ଧାଡିଠାରୁ ଦୂରରେ ପଛରେ ସୁରକ୍ଷିତ ଭାବରେ ରହିଥିଲେ। ଆବଶ୍ୟକ ହେଲେ ଭବିଷ୍ୟତରେ ନାଟୋ ଦେଶମାନେ ଆମେରିକାକୁ ସମର୍ଥନ କରିବେ କି ନାହିଁ ସେ ବିଷୟରେ ଟ୍ରମ୍ପ ସନ୍ଦେହ ପ୍ରକାଶ କରିଥିଲେ।
ଧାରା ୫ ଓ ଐତିହାସିକ ଏକତା
ଜର୍ଜିଆ ମେଲୋନି ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରି ମନେ ପକାଇ ଦେଇଛନ୍ତି ଯେ ୧୧ ସେପ୍ଟେମ୍ବର ୨୦୦୧ ଆକ୍ରମଣ ପରେ ନାଟୋ ଇତିହାସରେ ପ୍ରଥମ ଥର ପାଇଁ ଧାରା ୫ ସକ୍ରିୟ କରିଥିଲା। ସେ ଏହାକୁ ଆମେରିକା ସହିତ ଏକତା ପାଇଁ ଏକ ଅସାଧାରଣ କାର୍ଯ୍ୟ ବୋଲି କହିଥିଲେ। ମେଲୋନିଙ୍କ ଅନୁଯାୟୀ, ଟ୍ରମ୍ପଙ୍କ ବିବୃତି ସେହି ସମୟରେ ଦେଖାଯାଇଥିବା ଏକଜୁଟ ଭାବନାକୁ ଅଣଦେଖା କରିଛି।
ଇଟାଲୀର ସାମରିକ ଅବଦାନ ଓ ବଳିଦାନ
ମେଲୋନି ଇଟାଲୀର ନିରନ୍ତର ସାମରିକ ପ୍ରତିଶ୍ରୁତିବଦ୍ଧତା ବିଷୟରେ କହିଛନ୍ତି ଯେ, ଆମେ ଆଫଗାନିସ୍ତାନରେ ହଜାର ହଜାର ସୈନ୍ୟଙ୍କୁ ମୁତୟନ କରିଥିଲୁ। ଇଟାଲୀ ମିଶନର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ମଧ୍ୟରୁ ଆଞ୍ଚଳିକ କମାଣ୍ଡ ପଶ୍ଚିମର ନେତୃତ୍ୱ ଗ୍ରହଣ କରିଥିଲା।
ଇଟାଳୀ ସେନାର ୫୩ ମୃତ, ୭୦୦ ଆହତ
ଆଫଗାନିସ୍ତାନରେ ଇଟାଲୀ ସହିଥିବା ଭାରୀ ମାନବିକ ମୂଲ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି।। ସେ କହିଛନ୍ତି, ପ୍ରାୟ କୋଡ଼ିଏ ବର୍ଷର ପ୍ରତିଶ୍ରୁତିବଦ୍ଧତା ମଧ୍ୟରେ ୫୩ ଜଣ ଇଟାଲୀୟ ସୈନିକ ନିଜ ଜୀବନ ଦେଇଛନ୍ତି। ସେହିପରି ୭୦୦ରୁ ଅଧିକ ଆହତ ହୋଇଛନ୍ତି। ମେଲୋନି କହିଛନ୍ତି ଯେ, ଆଫଗାନ ସେନାର ତାଲିମ ଓ ସୁରକ୍ଷା ମିଶନରେ ଇଟାଲୀର ଅବଦାନ ଏକ ସତ୍ୟ ଯାହାକୁ କେବେ ଅଣଦେଖା କରାଯାଇପାରିବ ନାହିଁ।
ବନ୍ଧୁତା ଓ ସମ୍ମାନର ସର୍ତ୍ତ
ମେଲୋନି ସ୍ପଷ୍ଟ କରିଛନ୍ତି, ଜଣେ ସହଯୋଗୀଙ୍କଠାରୁ ଆସୁଥିବା ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ରୋମ୍ ଓ ୱାସିଂଟନ୍ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। କିନ୍ତୁ ବନ୍ଧୁତା ପାଇଁ ସମ୍ମାନ ବି ଆବଶ୍ୟକ। ମେଲୋନିଙ୍କ ଅନୁଯାୟୀ, ଆଟଲାଣ୍ଟିକ୍ ମେଣ୍ଟକୁ ବଜାୟ ରଖିବା ପାଇଁ ପରସ୍ପରର ଅବଦାନକୁ ସମ୍ମାନ କରିବା ଏକ ମୌଳିକ ସର୍ତ୍ତ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/25/meloni-2026-01-25-14-25-06.jpg)