କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟରେ ଜାରି ରହିବ ବର୍ଷା । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ୩ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିଭଳି ବରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାରେ ପବନ ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା କାରଣରୁ ମତ୍ସ୍ୟଜୀବୀମାନଙ୍କ ସମୁଦ୍ର ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । ପ୍ରବଳ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢିବାର ଆଶଙ୍କା କରି ସତର୍କ ରହିବାକୁ କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ୪୩ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବାରୁ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ ପ୍ରବଳ ବର୍ଷାରେ ବେହାଲ ସିଲଭର୍ ସିଟି କଟକ । ଆଜି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନାରେ କଟକରେ ପ୍ରବଳ ବର୍ଷା ଆଶଙ୍କାକୁ ଦେଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ସ୍ଥିତିକୁ ମୁକାବିଲା କରିବା ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ଜିଲ୍ଲାପାଳ କହିଛନ୍ତି ।
ସେପଟେ ହୀରାକୁଦ ବନ୍ଧରେ ଖୋଲାଯାଇଥିବା ଗେଟ୍ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ପୂର୍ବରୁ ୮ଟି ଗେଟ୍ ଖୋଲାଯାଇଥିବା ବେଳେ ଶୁକ୍ରବାର ଦୁଇଟି ପର୍ଯ୍ୟାୟରେ ଆଉ ୧୨ଟି ଗୋଟ୍ ଖୋଲାଯାଇଛି । ୨୦ଟି ଗେଟରେ ଜଳ ନିଷ୍କାସନ ହେବାଦ୍ବାରା ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ହ୍ରାସ ପାଇ ୬୦୯.୩୯ ଫୁଟରେ ପହଞ୍ଚିଛି । ବର୍ତ୍ତମାନ ଜଳଭଣ୍ଡାରକୁ ହାରାହାରି ୩ଲକ୍ଷ ୩୫ ହଜାର ୧୬୬ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ ମାର୍ଗଦେଇ ସମାନ ପରିମାଣର ପାଣି ନିଷ୍କାସିତ ହେଉଛି । ବେଲଗାଁ, ଖଇରାମାଳରେ ଜଳସ୍ତର ବୃଦ୍ଧି, ବରମୂଳ ଓ ମୁଣ୍ଡୁଳିରେ ଜଳସ୍ତର ହ୍ରାସ ଏବଂ ଖଇରମାଳରେ ଜଳସ୍ତର ସ୍ଥିର ରହିଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/26/dgdg-2025-07-26-07-56-49.jpg)