କନକ ବ୍ୟୁରୋ: ଆସୁଥିବା ବାତ୍ୟା ପ୍ରଭାବରେ ଅଧା ଓଡ଼ିଶା କଲବଲ ହେବ। ତିନି ଦିନ ଧରି ବିଭିନ୍ନ ଜିଲ୍ଲାରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପବନ ମଧ୍ୟ ଜୋରରେ ବହିବ। ତେବେ ଏହି ସମୟରେ ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ। 

Advertisment

ଓଡ଼ିଶା ଆଡକୁ ମାଡି ଆସୁଥିବା ଭୀଷଣ ବାତ୍ୟା ଦାନା ପ୍ରଭାବରେ କାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯିବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡିର ଆକଳନ ଅନୁସାରେ, 

୨୩ତାରିଖରେ  ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହୋଇପାରେ।  

୨୪ତାରିଖ ରେ ଅଧାରୁ ଅଧିକ ଓଡିଶା ଭିଜିବ। ତେବେ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢ଼େଙ୍କାନାଳ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। 

୨୫ ତାରିଖରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ ଏହି ଚାରି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ଜଗତସିଂହପୁର କେନ୍ଦ୍ରାପଡା, କଟକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।  

ଆସୁଥିବା ବାତ୍ୟା ପ୍ରଭାବରେ ପବନର ବେଗ ଅଧିକ ରହିବ। ୨୪ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର ଜିଲ୍ଲାରେ ଘଂଟା ପ୍ରତି ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ। ଝଟକା  ପବନର ବେଗ ଘଂଟା ପ୍ରତି ୧୨୦ କିମି ହେବ। ପୁରୀ, ଖୋର୍ଦ୍ଧା, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ୬୦ରୁ ୯୦ କିମି ବେଗରେ ପବନ ବହିବ। ଗଞ୍ଜାମ, ନୟାଗଡ, ବୌଦ୍ଧ, ସମ୍ବଲପୁର, ଦେବଗଡ, ସୁନ୍ଦରଗଡରେ ୫୦ରୁ ୬୦ କିମି ବେଗରେ ପବନ ବହିବ। ଝଟକା ପବନର ବେଗ ୭୦ କିମି ରହିବ। 

ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ବିଭିନ୍ନ ଜିଲ୍ଳାରେ ପହଁଚିଛନ୍ତି।