କନକ ବ୍ୟୁରୋ : ଆହୁରି ୩ ଦିନ ରାଜ୍ୟରେ ଲାଗି ରହିବ ବର୍ଷା । ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା ରହିଛି । ଆଜି ବି ସାରା ରାଜ୍ୟରେ ବର୍ଷା ଲାଗି ରହିବ । ତେବେ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ କରାଇଲା ବିଭାଗ । ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ଝଟକା ପବନର ବେଗ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ହେବାର ଆଶଙ୍କା ରହିଛି ।
୧୮ଜୁନ ପାଇଁ କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଝଟକାପବନର ବେଗ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ହେବାର ଆଶଙ୍କା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ବର୍ତ୍ତମାନ ସମୁଦ୍ର ପତନଠାରୁ ୫.୮ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡକୁ ଢଳି ରହିଛି । ସେଥିପାଇଁ ବର୍ଷା ଲାଗି ରହିଛି ।