କନକ ବ୍ୟୁରୋ: ରାଜ୍ୟରେ ଆଜିଠୁ ବଢିପାରେ ବର୍ଷାର ପରିମାଣ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କନ୍ଧମାଳ, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ୧୭ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ମଧ୍ୟ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଅନେକ ସ୍ଥାନରେ ବର୍ଷା ହେବ । ୧୬ ଓ ୧୭ ତାରିଖରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଉପକୂଳ ଓଡିଶା ତତ-ସଂଲଗ୍ନ ଦକ୍ଷିଣ ଗଙ୍ଗୀୟ-ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ।