କନକ ବ୍ୟୁରୋ : ବିଜେଡି ନେତା ବାପି ସର୍ଖେଲଙ୍କ ନାଁରେ ଏତଲା । ଶତାଧିକ ଡିଏଲଆର ଶ୍ରମିକମାନଙ୍କୁ ସାଥିରେ ନେଇ ପାରାଦୀପ ଆଦର୍ଶ ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ। ଡିଏଲଆର ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ସଂଘ ଅଫିସ ଚାବି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଫେରସ୍ତ ନେଇ ବାପି ସାର୍ଖେଲ ଓ ସମିର ବିଶ୍ୱାଳଙ୍କ ନାଁରେ ଏତଲା ଦିଆଯାଇଛି ।
ପାରାଦୀପ ବନ୍ଦରରେ କାର୍ଯ୍ୟରତ ଡିଏଲଆର ଶ୍ରମିକଙ୍କ ନ୍ୟାର୍ଯ୍ୟଦାବୀ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ତତ୍କାଳୀନ ବନ୍ଦର ସେକ୍ରେଟାରୀଙ୍କ ନେତୃତ୍ୱରେ ୨୦୧୨ରେ ପାରାଦୀପ ପୋର୍ଟ ଡିଏଲଆର ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ଗଠନ ହୋଇଥିଲା । ୨୦୧୩ରେ ଶ୍ରମିକ ନେତା ବାପି ସାର୍ଖେଲ ସଂଘ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରମିକଙ୍କ ସମସ୍ୟା ସମାଧାନ ନହେବାରୁ ଗତ ସେପ୍ଟେମ୍ୱରରେ ପ୍ରକାଶ ତ୍ରିପାଠୀଙ୍କୁ ନୂଆ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ତେବେ ପୂର୍ବତନ ସଭାପତି ବାପି ସାର୍ଖେଲ ପାରାଦୀପ ବନ୍ଦର ତରଫରୁ ପୋର୍ଟ ଡିଏଲଆର ସଂଘକୁ ଦିଆଯାଇଥିବା ଅଫିସ ଗୃହର ଚାବି ସହ ବିଭିନ୍ନ କାଗଜପତ୍ର ଫେରାଉ ନଥିବାରୁ ତାଙ୍କ ନାଁରେ ଏତଲା ହୋଇଛି ।