କନକ ବ୍ୟୁରୋ: ବହୁ ଆଲୋଚନା ଚର୍ଚ୍ଚା ପରେ ପର୍ଯ୍ୟାୟକ୍ରମେ ଘୋଷଣା ହେଉଛି ବିଜେପି ଜିଲ୍ଲା ସଭାପତିଙ୍କ ନାଁ । ପ୍ରାଥମିକ ପର୍ଯ୍ୟାୟରେ ୨୩ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ବାକି ସଭାପତିଙ୍କ ନାଁ ଆସିବ । ଏହି ପ୍ରକ୍ରିୟା ସହ ରାଜ୍ୟ ସଭାପତିଙ୍କ ନାଁ ଚଳିତମାସ ଶେଷ ସୁଦ୍ଧା ଘୋଷଣା ହୋଇପାରେ । ପ୍ରଶ୍ନ ଉଠୁଛି, ନୂଆ ନାଁ ଘୋଷଣା ପରେ ଅସନ୍ତୁଷ୍ଟଙ୍କୁ କେମିତି ସାମ୍ନା କରିବ ରାଜ୍ୟ ବିଜେପି ।
ପର୍ଯ୍ୟାୟକ୍ରମେ ଘୋଷଣା ହେଉଛି ବିଜେପି ଜିଲ୍ଲା ସଭାପତିଙ୍କ ନାଁ । ପ୍ରାଥମିକ ପର୍ଯ୍ୟାୟରେ ୨୩ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ବାକି ସଭାପତିଙ୍କ ନାଁ ଆସିବ । ଏହି ପ୍ରକ୍ରିୟା ସହ ରାଜ୍ୟ ସଭାପତିଙ୍କ ନାଁ ଚଳିତମାସ ଶେଷ ସୁଦ୍ଧା ଘୋଷଣା ହୋଇପାରେ । ପ୍ରଶ୍ନ ଉଠୁଛି, ନୂଆ ନାଁ ଘୋଷଣା ପରେ ଅସନ୍ତୁଷ୍ଟଙ୍କୁ କେମିତି ସାମ୍ନା କରିବ ରାଜ୍ୟ ବିଜେପି ।
ସରକାରକୁ ଆସିବା ପରେ ଜିଲ୍ଲା ସଭାପତି ପଦ ପାଇଁ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଜିଲ୍ଲା ସଂଗଠନ ମଙ୍ଗ କିଏ ଧରିବ ସେ ନେଇ ଦୁଇମାସ କସରତ କଲେ ନେତା। ନିଜ ଲୋକଙ୍କୁ ମୁଖିଆ କରି ସଂଗଠନ ହାତରେ ରଖିବା ଲାଗି ଛାମୁଆ ନେତା ବି ଢେର କୌଶଳ କଲେ। କଥା ଦିଲ୍ଲୀ ପର୍ଯ୍ୟନ୍ତ ଗଲା। ବ୍ୟାପକ ଘଣ୍ଟାଚକଟା ପରେ ଶେଷରେ ଅଧା ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି। ପ୍ରଥମ ପର୍ଯ୍ୟାୟରେ ଗଂଜାମ, ପୁରୀ, କେନ୍ଦ୍ରାପଡା, କଟକ ବାଲେଶ୍ବର ଭଳି ଉପକୂଳବର୍ତ୍ତୀ ଜିଲ୍ଲା ମୁଖିଆଙ୍କ ନାମ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଘୋଷଣା ହୋଇଛି। ହେଲେ ଯେଉଁ କଥାଟି ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି, ଘୋଷିତ ନେତା କେଉଁ ଗୋଷ୍ଠୀର?
ନିୟମ ଅନୁସାରେ, ଅଧା ଜିଲ୍ଲା ସଂଗଠନ ସଭାପତିଙ୍କ ନାମ ଘୋଷଣା ପରେ ରାଜ୍ୟ ସଭାପତି ଚୟନ ରାସ୍ତା ଖୋଲିବ। ଅର୍ଥାତ୍ ବିଜେପିର ୩୭ ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୧୯ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ଜରୁରୀ। ମିଳୁଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ହିଁ ପାଖାପାଖି ୨୩ ନାମ ଘୋଷଣା ହେବ। ଅର୍ଥାତ ଆଜି ରାତିରୁ ରାଜ୍ୟ ସଭାପତି ପଦ ପାଇଁ ଆରମ୍ଭ ହେବ ଅସଲ କସରତ। ହେଲେ ପ୍ରଶ୍ନ ଉଠୁଛି, ଯେଉଁ ଗୋଷ୍ଠୀର ପତିଆରା କମିଲା, ସେମାନେ ମୁହଁ ଫୁଲାଇଲେଣି। ଏବେ ସେମାନଙ୍କୁ କିଏ ମନାଇବେ? ଏ କ୍ଷେତ୍ରରେ କଣ ଦିଲ୍ଲୀକୁ ହସ୍ତକ୍ଷେପ କରିବାକୁ ପଡ଼ିବ?
ଜିଲ୍ଲା ସଭାପତିଙ୍କ ନାଁ ଘୋଷଣାରୁ ସଙ୍କେତ ମିଳୁଛି ଯେ ସଙ୍ଗଠନ ସହ ଦୀର୍ଘଦିନଧରି ଯୋଡ଼ି ରହିଥିବା କର୍ମକର୍ତ୍ତା ଓ ଯୁବ ଚେହେରାଙ୍କୁ ଗୁରୁତ୍ବ ମିଳିଛି । ଦୀର୍ଘଦିନ ଧରି ଯେଉଁମାନେ ସଭାପତି ଆଶାୟୀ ଥିଲେ ସେମାନଙ୍କ ଆଭିମୁଖ୍ୟ କଣ ହେବ? ରାଜ୍ୟ ନେତ୍ବତୃ ଏହାକୁ କିଭଳି ଭାବେ ସାମ୍ନା କରିବେ, ତା ଉପରେ ସମସ୍ତଙ୍କ ନଜର ରହିବ ।