କନକ ବ୍ୟୁରୋ :  ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏ ଓଭର ବ୍ରିଜ୍। କଟକ-ଭୁବନେଶ୍ବର ରାସ୍ତାର ପ୍ରମୁଖ ଛକ ହଂସପାଳରେ କରାଯାଇଥିବା ଏହି ବ୍ରିଜକୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।  ୧୮ ମାସରେ ଫ୍ଲାଏ ଓଭର ନିର୍ମାଣ ସାରିବାକୁ ହୋଇଥିଲା ଚୁକ୍ତି, କିନ୍ତୁ ୫୦୦ ମିଟରର ଏହି ବ୍ରିଜ୍ ସମ୍ପୂର୍ଣ୍ଣ ହେବାକୁ ୫ ବର୍ଷ ଲାଗିଯାଇଛି । ଏଥିପାଇଁ ୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗତ ବର୍ଷ ଏହି ବ୍ରିଜର ଗୋଟିଏ ପାର୍ଶ୍ବ ଖୋଲାଯାଇଥିଲା । କଟକରୁ ଭୁବନେଶ୍ୱର ଆସୁଥିବା ଗାଡି ବ୍ରିଜ ଉପରେ ଚଳାଚଳ କରୁଥିଲା। ଏଣିକି ଭୁବନେଶ୍ୱରରୁ କଟକକୁ ଯାଉଥିବା ଗାଡି ଫ୍ଲାଏ ଓଭର ଦେଇ ଯାତାୟତ କରିପାରିବେ । 

Advertisment

ଦୁଇ ଥର ବଦଳିଥିଲା ଠିକା ସଂସ୍ଥା 
ବ୍ରିଜ ନଥିବା ଯୋଗୁ ହଂସପାଳ ଛକରେ ବହୁ ଦୁର୍ଘଟଣା ହୋଇଥିଲା । ଏକାଧିକ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା । ନିର୍ମାଣ କାର୍ଯ୍ୟ ବିଳମ୍ବକୁ ନେଇ ସେତେବେଳେର ଶାସକ ବିଜେଡି ଏନଏଚଏଆଇ ଏବଂ ବିଜେପିକୁ ଦୋଷ ଦେଉଥିଲା । ଯାହାକୁ ନେଇ ରାଜନେତାଙ୍କ ମଧ୍ୟରେ ଦୋଷ ଲଦାଲଦି ବି ହୋଇଥିଲା । ଦୁଇ ଥର ଠିକା ସଂସ୍ଥା ମଧ୍ୟ ବଦଳିଥିଲା । ଶେଷରେ ଫ୍ଲାଏ ଓଭୟ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ବାରା ଦୁର୍ଘଟଣା କମିବା ସହ ଟ୍ରାଫିକ ସମସ୍ୟା ସମାଧାନ ହେବ ଆଶା କରାଯାଉଛି । ଏହି ଅବସରରେ ଭୁବନେଶ୍ୱର-କଟକ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଖୁବ ଶୀଘ୍ର ରିଙ୍ଗ ରୋଡ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ । ସାଢେ ୬ ହଜାର କୋଟି ଟଙ୍କା ଖର୍ଚ୍ଚରେ ରାମେଶ୍ୱରରୁ ଚୌଦ୍ବାର ଯାଏ ୧୧୧ କିଲୋମିଟରର ରିଙ୍ଗରୋଡ ହେବ କହିଛନ୍ତି ସାଂସଦ ।