କନକ ବ୍ୟୁରୋ: ଅସମ୍ଭାଳ ହୋଇପଡ଼ିଲାଣି ଟ୍ରାଫିକ ଜାମ୍ । ଶହେ ମିଟର ଗାଡ଼ି ଗଡ଼ିବାକୁ ଲାଗୁଛି ଘଂଟାଏ ସମୟ। ଗତକାଲି ଭାରତ -ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ସତ୍ତ୍ବେ ରାସ୍ତାରେ ପ୍ରବଳ ଭିଡ଼ ହୋଇଥିଲା । ଟ୍ରାଫିକ୍ ଜାମରେ ଫସି ଲୋକେ ହନ୍ତସନ୍ତ ହୋଇଥିଲେ। ଆଜି ସପ୍ତମୀରେ ଦିନରେ ଭିଡ଼ ଦେଖିବାକୁ ମିଳିଛି। ରାସ୍ତାରେ ଲାଗିଛି ଗାଡ଼ିର ଧାଡ଼ି। ଥରେ ଜାମ୍ରେ ଫସିଲେ କଥା ସରିଲା। ଛୋଟରୁ ବଡ଼ ଗାଡ଼ି ସବୁ ଫସିକି ରହିଛି। ଗାଡ଼ି ଗଡ଼ିବା ୟା ଭିତରେ କଷ୍ଟକର ହୋଇପଡ଼ିଛି । ଘଣ୍ଟା ଘଣ୍ଟା ଧରି ଜାମ୍ ଲାଗିଛି । ଅନ୍ୟପଟେ କିଏ ରାସ୍ତା ଉପରେ ଗାଡ଼ି ରଖି ପଳାଉଛି ତ ପୁଣି କିଏ ମଣ୍ଡପ ସାମ୍ନାରେ ଗାଡ଼ି ରଖି ପୂଜା ଦେଖୁଛି। ଯାହାଫଳରେ ବଢ଼ୁଛି ଟ୍ରାଫିକ ସମସ୍ୟା ।
ସେପଟେ ରାଜଧାନୀର ୧୯୩ ମଣ୍ଡପ ପାଇଁ ୬୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ, ୨୪ ପେଣ୍ଡାଲରେ ସୁନା, ରୁପା ଗହଣା ମେଢ଼ର ସୁରକ୍ଷା ପାଇଁ ବନ୍ଧୁକ ଧାରୀ ପୁଲିସ ମୁତୟନ କରାଯାଇଛି I ଏହାସହ ପ୍ରତିଟି ମଣ୍ଡପରେ ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ସିସିଟିଭି କ୍ୟାମେରା ଲାଗିବା ବାଧ୍ୟତାମୂଳକ କରାଯାଇଛି । ଭୁବନେଶ୍ୱରରେ ମୋଟ ୬୧ ପ୍ଲାଟୁନ ଫୋର୍ସ, ସେଣ୍ଟ୍ରାଲ ଫୋର୍ସ ୩ ପ୍ଲାଟୁନ ସହ ଆଣ୍ଟି ଟେରର ପାଇଁ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ଓ ୨୦ ପ୍ଲାଟୁନ ହୋମଗାର୍ଡ ମୁତୟନ ରହିଛନ୍ତି I
ମହିଳାଙ୍କ ସୁରକ୍ଷା ପାଇଁ HER ବା ଶକ୍ତି ବାହିନୀ ଟିମ୍ ସଜାଗ ରହିଛି । ଯେକୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ବିଭିନ୍ନ ମଣ୍ଡପ ସମ୍ମୁଖରେ ଅସ୍ଥାୟୀ କଣ୍ଟ୍ରୋଲ ରୁମ କରିଛି ପୁଲିସ I କଟକ ସ୍ଥିତି ଆହୁରି ସାଂଘାତିକ। ପ୍ରସିଦ୍ଧ ଦୁର୍ଗା ପୂଜା ଦେଖିବାକୁ ଭିଡରେ ଥରେ ପଶିଲେ ବାହାରିବାକୁ ନାକେଦମ ହେଉଛନ୍ତି ଲୋକ । କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ ଗାଇଡଲାଇନ ଜାରି କରାଯାଇଥିଲେ ମଧ୍ୟ ସ୍ଥିତିକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ ବଡ ଆହ୍ବାନ ପାଲଟିଛି ।