କନକ ବ୍ୟୁରୋ : ଦୀର୍ଘଦିନ ପରେ ପୁଣିଥରେ ସକ୍ରିୟ ହୋଇଛି ଆୟକର ବିଭାଗ । ଆଜି ସକାଳୁ ସକାଳୁ ପୂର୍ବତନ ମନ୍ତ୍ରୀ ତଥା ସ୍ବର୍ଗତଃ ନବ ଦାସଙ୍କ ବାସଭବନରେ ଚଢ଼ଉ କରିଛି ଆୟକର ବିଭାଗର ଟିମ୍ । ଏକକାଳୀନ ୧୯ ଟି ସ୍ଥାନରେ ମାରିଛି ରେଡ୍ । ଝାରସୁଗୁଡ଼ା ସମେତ ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଦିଲ୍ଲୀରେ ନବ ଦାସଙ୍କ ବିଭିନ୍ନ ଠିକଣାରେ ଖୋଳତାଡ଼ କରୁଛି ଟିମ୍ । କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ଚଢ଼ଉ ହେଉଛି । ନବଙ୍କ ପୁଅ ବିଶାଳ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବାବଦରେ ଟିକିନିକି ତଥ୍ୟ ହାସଲ କରିଛି ଆୟକର ବିଭାଗ । ବିଶାଳ ଦାସଙ୍କ ନାଁରେ ଭୂତ କମ୍ପାନି ରହିଛି କି ନାହିଁ ? ଆୟକର ବିଭାଗ ତାହାର ଯାଞ୍ଚ କରିଥିବା ସୂଚନା ମିଳିଛି । 
 
ଝାରସୁଗୁଡା ସ୍ଥିତ ନବ ଦାସଙ୍କ ଘରେ ଚଢ଼ଉ ସହ ସମ୍ବଲପୁର ଓ ସୁନ୍ଦରଗଡ଼ରେ ଆୟକର ବିଭାଗ ଜୋରଦାର ତନାଘନା କରିଛି । ସମ୍ବଲପୁରରେ ଥିବା ହୋଟେଲ ଓ ଘରେ ପହଞ୍ଚି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଟିମ୍ । ଏହା ସହ ହାର୍ଡଡିସ୍କ ଜବତ କରି ସାଙ୍ଗରେ ନେଇଛି ଟିମ୍ । ସୁନ୍ଦରଗଡ଼ରେ ନବ ଦାସଙ୍କ ବ୍ୟବସାୟିକ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ମଧ୍ୟ ଅଚାନକ ପହଞ୍ଚି ଖାନତଲାସି କରିଛି ଆୟକର ବିଭାଗ । ଏହି ରେଡ୍‌ରେ ୧୮୦ ଅଧିକାରୀ ସାମିଲ ହୋଇଛନ୍ତି । ଏତେ ଅଧିକାରୀଙ୍କୁ ଧରି ଚଢ଼ଉ କରିବା ଏହା ହିଁ ସଂକେତ ଦେଉଛି ଯେ ବଡ଼ ଧରଣର ଠକେଇର ସୂଚନା ପାଇଛି ଆୟକର ବିଭାଗ। ଆୟକର ବିଭାଗ ଚଢ଼ଉ କରିଥିଲେ ମଧ୍ୟ ବିଶାଳ ଓ ଦୀପାଳିଙ୍କୁ ପଚରାଉଚରା କରିନାହିଁ । କାଗଜପତ୍ର ଯାଞ୍ଚ ସହ ପ୍ରମାଣ ପାଇବା ପରେ ଭାଇ-ଭଉଣୀଙ୍କୁ ପଚରାଉଚରା କରିପାରେ ଆୟକର ବିଭାଗ ।