କନକ ବ୍ୟୁରୋ:  ଝାଡ଼ାବାନ୍ତି, ଶରୀରରୁ ଜଳୀୟ ଅଂଶ ହ୍ରାସ, ଦୁର୍ବଳତା ଆଦିର ଚିକିତ୍ସା ପାଇଁ ସାଧାରଣତଃ ଓଆର୍‌ଏସ ବ୍ୟବହାର କରାଯାଏ । ଏହାର ଅଧିକ ବ୍ୟବହାର ଦେଖି ଲାଭ ପାଇଁ କିଛି କମ୍ପାନି ସେମାନଙ୍କ ବିଭିନ୍ନ ପାନୀୟ ଉପରେ ଓଆର୍‌ଏସ ଲେଖି ବିକ୍ରି କରୁଛନ୍ତି । ବଜାରରେ ଏହା ଖୋଲାଖୋଲି ବିକ୍ରି ହେଉଛି। କିନ୍ତୁ ଡାକ୍ତରଙ୍କ ବିନା ସୁପାରିସରେ ସବୁ ପାନୀୟ ବ୍ୟବହାର କରିବା ଉଚିତ ନୁହେଁ । ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ । ଏ ଦିଗରେ ଏବେ  ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ୍ ଇଣ୍ଡିଆ- ଏଫଏସଏସଏଆଇ   କଡ଼ା ଆଭିମୁଖ୍ୟ ଆପଣାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର- ହୁ’ର ଫର୍ମୁଲା ଅନୁସାରେ କୌଣସି ପାନୀୟ ପ୍ରସ୍ତୁତ ହୋଇ ନଥିଲେ ଏହାକୁ ଓଆରଏସ କୁହାଯାଇପାରିବ ନାହିଁ । ଏହାରୁ ବିକ୍ରି ନିଷେଧ କରାଯାଇଛି । ଏଥିପାଇଁ ଡାକ୍ତର ମଧ୍ୟ ସତର୍କ କରାଇଦେଇଛନ୍ତି ।

Advertisment

ଏଭିଳି ପାନୀୟ କ୍ୟାନସର ସୃଷ୍ଟି କରିପାରେ। ଶିଶୁମାନଙ୍କ ସ୍ବାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ। ନିର୍ଦ୍ଦିଷ୍ଟ ଫର୍ମୁଲାରେ ପ୍ରସ୍ତୁତ ହୋଇ ନଥିବା ପାନୀୟ ବୋତଲ ଏବଂ ପ୍ୟାକେଟରୁ ଓଆରଏସ୍ ଶବ୍ଦ ହଟାଇବାକୁ କୁହାଯାଇଛି । ଏହା ଦ୍ୱାରା ଉପଭୋକ୍ତା ଭ୍ରମରେ ପଡ଼ିବେ ନାହିଁ । ଭାରତର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା  ଏଫ୍ଏସ୍ଏସ୍ଏଆଇ ଏହି ନିଷ୍ପତ୍ତି ନେଇଛି। ଏହି ନିର୍ଦ୍ଦେଶ ପାଳନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ କେନ୍ଦ୍ର ସରକାର ୨୦୨୨ ଓ ୨୦୨୪ରେ ଜାରି କରିଥିବା ନିର୍ଦ୍ଦେଶନାମାରେ ସଂଶୋଧନ କରି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଏହାଦ୍ୱାରା ଅନେକ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ ବୋଲି ଚିକିତ୍ସା ବିଜ୍ଞାନୀ କହିଛନ୍ତି ।