କନକ ବ୍ୟୁରୋ : ମେ ୨୦ ତାରିଖ ଥିଲା କଣ୍ଟ। ଏହି ସମୟସୀମା ପୂରିଲା । ହେଲେ ସରିଲାନି ପ୍ରକଳ୍ପ । ଅଧପନ୍ତରିଆ ରହିଗଲା ପୁରୀ ଶ୍ରୀଗୁଣ୍ତିଚା ମନ୍ଦିର ମରାମତି କାର୍ଯ୍ୟ । ଆଉ ତିନି ସପ୍ତାହ ପରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରିବେ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହେବ । ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଏବେ ବାହାଘର ବେଳେ ବାଇଗଣ ରୁଆ ନ୍ୟାୟରେ ତନାଘନା ଆରମ୍ଭ କରିଛନ୍ତି ପୂର୍ତ୍ତ ବିଭାଗ । ଜୋରସୋରରେ କାମ କରିବା ଲାଗି ଉପରୁ ତାଗିଦ ମିଳିବା ପରେ କର୍ତ୍ତୃପକ୍ଷ ଦିନରାତି ଏକ କରିଦେଇଛନ୍ତି । ହେଲେ ବାସ୍ତବତା ହେଲା, ପ୍ରକଳ୍ପ କାମ ସରିବା ମୁସ୍କିଲ୍ ଏହାକୁ ନେଇ ସେବାୟତ, ଭକ୍ତ ଓ ବୁଦ୍ଧିଜୀବୀ ମହଲ ଅସନ୍ତୋଷ ଝାଡ଼ିଲେଣି ।
ଗୁଣ୍ତିଚା ମନ୍ଦିରର ରୋଷଘର ଚଟାଣ ଓ କାନ୍ଥର ବାଡ଼କୁ ଉଚ୍ଚା କରାଯାଉଛି । ଚାଲିଛି ସେଡ୍ ନିର୍ମାଣ ଓ ଅନ୍ୟ ସୌନ୍ଦର୍ଯ୍ୟୀକରଣ । ପ୍ରାଚୀର, ସିଂହଦ୍ବାର ଓ କାନ୍ଥ ପଲସ୍ତରା ଛଡ଼ାଇ ଖାଣ୍ଡୋଲାଇଟ୍ ପଥର ସଂଯୋଗ କରାଯାଉଛି । ଶ୍ରୀମନ୍ଦିର ସମ୍ମୁଖରେ ନବନିର୍ମିତ ସୂଚନା କେନ୍ଦ୍ର ଭଳି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ନୂଆ ସୂଚନା କେନ୍ଦ୍ର ନିର୍ମାଣ କରାଯାଉଛି । କାମ ବିଳମ୍ବ ହେଉଥିବା ବେଳେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ କିନ୍ତୁ ଆଶ୍ବସ୍ତ କରିଛନ୍ତି ଯେ ବାହାର କାମ ରଥଯାତ୍ରା ପୂର୍ବରୁ ସାରିଦେବୁ । ୪ ବର୍ଷ ହେଲା କାମ ଚାଲିଥିବାରୁ କେବଳ ରଥଯାତ୍ରା ସମୟକୁ ଛାଡ଼ି ଅନ୍ୟ ସମୟରେ ଗୁଣ୍ଡିଚା ମନ୍ଦିର ବନ୍ଦ ରହୁଛି । ଏଥର କାମ ସମ୍ପୂର୍ଣ୍ଣ ହେଲେ ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ବର୍ଷ ସାରା ଖୋଲା ରହିବ କି?