କନକ ବ୍ୟୁରୋ : ୨୮ ବର୍ଷ ଧରି ହକ୍ ପାଇଁ ଲଢ଼େଇ ଜାରି ରଖିଛନ୍ତି ଝୋଡ଼ିଆ ସଂପ୍ରଦାୟ। ସରକାରୀ ସ୍ତରରେ ତ୍ରୁଟି ଯୋଗୁ ଏହି ସମ୍ପ୍ରଦାୟ ଆଦିବାସୀ ମାନ୍ୟତାରୁ ବଞ୍ଚିତ ହୋଇ ରହିଛନ୍ତି । ଫଳରେ ଆଦିବାସୀଙ୍କ ପାଇଁ ଥିବା ସୁବିଧା ସୁଯୋଗ ଏମାନଙ୍କୁ ମିଳୁନାହିଁ । ଚାକିରି, ପିଲାଙ୍କ ପାଠପଢ଼ା, ଜମିପଟ୍ଟା ମିଳିବାରେ ଅସୁବିଧା ହେଉଛି ।
ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଲାଗି ପୂର୍ବରୁ ବହୁବାର ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କରାଯାଇଛି । ୨୦୦୯ରେ ୟୁପିଏ ସରକାରଙ୍କୁ ରାଜ୍ୟ ସରକାର ୨ଥର ପ୍ରସ୍ତାବ ଦେଇଥିଲେ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଭେଟି ମଧ୍ୟ ଦାବି କରାଯାଇଥିଲା । ୨୦୧୭ରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରତିନିଧି ଦଳ ଭେଟି ସମାନ ଦାବି ଜଣାଇଥିଲେ । କୋରାପୁଟ ଲୋକସଭା ସଦସ୍ୟ ସପ୍ତଗିରି ଉଲାକା ଓ ପୂର୍ବତନ ରାଜ୍ୟସଭା ସଦସ୍ୟ ଏନ୍. ଭାସ୍କର ରାଓ ଏହି ପ୍ରସଙ୍ଗ ସଂସଦରେ ଉଠାଇଥିଲେ । ହେଲେ ଏଯାଏଁ ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ମିଳିନାହିଁ । ବର୍ତ୍ତମାନ କୋରାପୁଟ ସାସଂଦ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟି ପୁଣି ଦାବି ଜଣାଇଛନ୍ତି ।
ରାୟଗଡ଼ା ଜିଲ୍ଲାର କାଶୀପୁର ଓ କଲ୍ୟାଣସିଂହପୁର ସମେତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ଲକ୍ଷ୍ମୀପୁର ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର ବ୍ଳକରେ ୯୦ ହଜାରରୁ ଅଧିକ ଝୋଡ଼ିଆ ସମ୍ପ୍ରଦାୟର ଲୋକ ଅଛନ୍ତି। ଆଦିବାସୀ ମାନ୍ୟତା ମିଳିଲେ ଏମାନେ ସରକାରୀ ସୁବିଧା ପାଇପାରନ୍ତେ ।