କନକ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏକ ବିଶାଳ ରକେଟ୍ ବିକଶିତ କରୁଛି ଯାହା ୭୫ ଟନ୍ ଓଜନର ପେଲୋଡ୍‌କୁ କକ୍ଷପଥକୁ ଉଠାଇବାରେ ସକ୍ଷମ ହେବ । ଇସ୍ରୋ ପୃଥିବୀର ନିମ୍ନ କକ୍ଷପଥରେ ୭୫ ହଜାର କିଲୋଗ୍ରାମ୍ ପେଲୋଡ୍ ରଖିବା ପାଇଁ ୪୦ ମହଲା କୋଠା ଭଳି ଏକ ରକେଟ୍ ଉପରେ କାମ କରୁଛି । ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ କହିଛନ୍ତି ଯେ, ଚଳିତ ବର୍ଷ ମହାକାଶ ଏଜେନ୍ସି ନାଭିକ୍ (ନେଭିଗେସନ୍ ୱିଥ୍ ଇଣ୍ଡିଆ କନଷ୍ଟେଲେସନ୍ ସିଷ୍ଟମ୍) ଉପଗ୍ରହ ଓ ଏନ୍-୧ ରକେଟ୍ ଭଳି ପ୍ରକଳ୍ପ ଉପରେ କାମ କରିବା ସହିତ ଭାରତୀୟ ରକେଟ୍ ବ୍ୟବହାର କରି ଆମେରିକାର ୬,୫୦୦ କିଲୋଗ୍ରାମ୍‌ର ଯୋଗାଯୋଗ ଉପଗ୍ରହକୁ କକ୍ଷପଥରେ ସ୍ଥାପନ କରିଛି ।

Advertisment

ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ମଙ୍ଗଳବାର କହିଛନ୍ତି ଯେ, ଆପଣ ଜାଣନ୍ତି, ବିଶାଳ ରକେଟ୍ର କ୍ଷମତା କ’ଣ ? ପ୍ରଥମ ଲଞ୍ଚର, ଡକ୍ଟର ଏପିଜେ ଅବଦୁଲ କଲାମ ଯାହାକୁ ନିର୍ମାଣ କରିଥିଲେ, ତାହା ଥିଲା ୧୭ ଟନ୍ ଓଜନର ଏକ ଲିଫ୍ଟ ଅଫ୍ ମାସ୍, ଯାହା ପୃଥିବୀର ନିମ୍ନ କକ୍ଷପଥରେ ୩୫ କିଲୋଗ୍ରାମ୍ ରଖିବାରେ ସକ୍ଷମ ଥିଲା । ଆଜି ଆମେ  ୭୫ ହଜାର କିଲୋଗ୍ରାମ୍ ଓଜନର ପେଲୋଡ ‌ପଠାଇବାକୁ ପ୍ରସ୍ତୁତ ହେଉଛୁ । ଏହି ରକେଟ୍‌ଟି ୪୦ ମହଲା କୋଠାର ଉଚ୍ଚତା ବିଶିଷ୍ଟ ବୋଲି ସେ କହିଛନ୍ତି । ବର୍ତ୍ତମାନ ଭାରତର କକ୍ଷପଥରେ ୫୫ଟି ଉପଗ୍ରହ ରହିଛି ଏବଂ ଆଉ ୩ରୁ ୪ ବର୍ଷ ମଧ୍ୟରେ ଏହି ସଂଖ୍ୟା ତିନିଗୁଣକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି । ସମାବର୍ତ୍ତନ ଉତ୍ସବରେ ତେଲେଙ୍ଗାନା ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ନାରାୟଣନଙ୍କୁ ଭାରତର ମହାକାଶ କାର୍ଯ୍ୟକ୍ରମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେଇ ଡକ୍ଟରେଟ୍ ଅଫ୍ ସାଇନ୍ସର ସମ୍ମାନଜନକ ଡିଗ୍ରି ପ୍ରଦାନ କରିଥିଲେ।