କନକ ବ୍ୟୁରୋ : ଇରାନ ଓ ଇସ୍ରାଏଲ ମଧ୍ୟରେ ୫ ଦିନ ହେବ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଇସ୍ରାଏଲ ସପକ୍ଷରେ ଆମେରିକା ଓ ଇରାନ ସପକ୍ଷରେ ଚୀନ ସାମ୍ନାକୁ ଆସିବା ପରେ ଏହି ଯୁଦ୍ଧ ଦୀର୍ଘ ସମୟ ଚାଲିବା ନେଇ ଆଶଂକା କରାଯାଉଛି । ଯଦି ଏହି ଯୁଦ୍ଧ ଦୀର୍ଘ ସମୟ ଚାଲେ ତେବେ ଏହା ସାଧାରଣ ଜନତାଙ୍କ ପକେଟ୍ ଉପରେ ସିଧା ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ଏହି ଯୁଦ୍ଧ ଫଳରେ ଭାରତ ଉପରେ କ'ଣ ପ୍ରଭାବ ପଡିବ ?
ଭାରତ ବିଶ୍ୱରର କିଛି ଏଭଳି ଦେଶ ମଧ୍ୟରୁ ଗୋଟିଏ ଯାହାର ଇରାନ ଓ ଇସ୍ରାଏଲ ଉଭୟ ଦେଶ ସହ ମଧୁର ସଂପର୍କ ରହିଛି । ଭାରତ ଇରାନର ଅଶୌଦ୍ଧିତ ତୈଳ କିଣିବାରେ ବଡ଼ ଗ୍ରାହକ । ଇରାନ ଭାରତକୁ କ୍ରୁଡ ଅଏଲ ବା ବିମାନ ଇନ୍ଧନ ଉପରେ ଅଧିକ ରିହାତି ଦେଇଥାଏ । ଏବେ ଯୁଦ୍ଧ ଚାଲୁଥିବାରୁ ଇରାନ ଅଶୌଦ୍ଧିତ ତୈଳ ଉତ୍ତୋଳନ କରିବା କମ୍ କରିବା ସହ ଯୋଗାଣ ମଧ୍ୟ କମ୍ କରିଛି । ଫଳରେ ଏହାର ପ୍ରଭାବ ସିଧାସଳଖ ଭାରତ ଉପରେ ପଡିବାକୁ ଯାଉଛି । ଭାରତକୁ ଶସ୍ତା ଅଶୌଦ୍ଧିତ ତୈଳ ନମିଳିଲେ ଭାରତରେ ଡିଜେଲ, ପେଟ୍ରୋଲ ସହ କ୍ରୁଡ ଅଏଲର ଦାମ ବଢିବା ନେଇ ଆଶଂକା ସୃଷ୍ଟି ହୋଇଛି ।
ସେପଟେ ଯଦି ପରମାଣୁ କାର୍ଯ୍ୟକ୍ରମରୁ ଇରାନ ପଛକୁ ନହଟୁଛି ତେବେ ଆମେରିକା ଇରାନ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇପାରେ । ଭାରତ ତୈଳ ବ୍ୟତୀତ ଡ୍ରାଏ ଫ୍ରୁଟସ୍ ଆମଦାନୀ କରିଥାଏ । ସେହିଭଳି ବାସୁମତି ଚାଉଳ ସହ ଚୀନକୁ ଚା, କଫି ରପ୍ତାନୀ କରିଥାଏ । ଏହାସହ ଭାରତର ଅନେକ କମ୍ପାନି ଇରାନରେ ନିର୍ମାଣ କାମ କରୁଛି । ଯଦି ଆମେରିକା ଇରାନ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଏ ତେବେ ଏସବୁ କରିବା ଭାରତ ପାଇଁ ମହଙ୍ଗା ପଡିପାରେ ।
ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ନେଇ ଭାରତ ତାର ମତ ସ୍ପଷ୍ଟ କରିନାହିଁ, ଅର୍ଥାତ ନା ଇରାନ ନା ଇସ୍ରାଏଲ କାହାକୁ ସମର୍ଥନ କରିନାହିଁ ଭାରତ । ଭାରତ ଚାହେନାହଁ କି ଆରବ, ୟୁଏଇ ସହ ଇରାନ ଭଳି ବଡ ଇସଲାମିକ ଦେଶ ସହ ସମ୍ପର୍କ ଖରାପ କରିବାକୁ । ସେହିଭଳି ଇସ୍ରାଏଲ ମଧ୍ୟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ପାକିସ୍ତାନୀ ଆତଙ୍କବାଦୀ ଉଭୟ ଭାରତ ଓ ଇସ୍ରାଏଲ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ଏହି ପ୍ରସଙ୍ଗରେ ଇସ୍ରାଏଲ ସର୍ବଦା ଭାରତ ସମର୍ଥନରେ ରହିଛି ।
ଇସ୍ରାଏ ଓ ଇରାନ ମଧ୍ୟରେ ମିସାଇଲ ଯୁଦ୍ଧ ଚାଲିଥିବାରୁ ଜର୍ଡନ, ଇରାକ ଓ ସିରିୟା ସମେତ ଅନେକ ଦେଶ ଏମାନଙ୍କ ପାଇଁ ଏୟାରବେସ୍ ବନ୍ଦ କରିଦେଇଛନ୍ତି । ଏହି କାରଣରୁ ବିମାନଗୁଡିକୁ ମଧ୍ୟପୂର୍ବ ଆକାଶପଥରେ ଅଧିକ ରାସ୍ତା ଦେଇ ଯିବାକୁ ପଡୁଛି । ଏହାଦ୍ୱାରା ସର୍ବାଧିକ ଇନ୍ଧନ ଖର୍ଚ୍ଚ ହେଉଛି । ଫଳରେ ବିମାନ କମ୍ପାନୀଗୁଡିକର ଖର୍ଚ୍ଚ ବଢୁଛି, ତେଣୁ ବିମାନ ଟିକେଟର ଦାମ ବଢିବାରେ ଲାଗିଛି ।
ଇରାନ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ସୁନା ଦର ଆକାଶଛୁଆଁ ହେବାରେ ଲାଗିଛି । ଘରୋଇ ବଜାରରେ ୧୦ ଗ୍ରାମ ସୁନାର ଦାମ ୧ ଲକ୍ଷ ଟଙ୍କା ପାର କରିଛି । ଯଦି ଯୁଦ୍ଧ ଲାଗିରୁହେ ତେବେ ଏହାର ପ୍ରଭାବ ସେୟାର ମାର୍କେଟ୍ ଉପରେ ପଡିବ । ଏହାସହ ସୁନା ଆହୁରି ମହଙ୍ଗା ହେବା ନେଇ ସମ୍ଭାବନା ରହିଛି । ଭାରତ ପ୍ରତିବର୍ଷ ୮୦-୯୦ ଟନ୍ ସୁନା ଆମଦାନୀ କରିଥାଏ ।