କନକ ବ୍ୟୁରୋ: ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଲେବାନନ ଉପରେ ବଡ ଆକ୍ରମଣ କରିଛି ଇସ୍ରାଏଲ । ଏକାଥରେ ୪୦ଟି ଆକ୍ରମଣ କରିଛି ଇସ୍ରାଏଲ ଏବଂ ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇସ୍ରାଏଲ ଲେବାନନରେ ଆକ୍ରମଣକୁ ଜୋରଦାର କରିଛି । ଇସ୍ରାଏଲ ଲେବାନନରେ ହିଜବୁଲ୍ଲା ବିରୋଧରେ ଆକ୍ରମଣାତ୍ମକ ରହିଛି । ପୁଣିଥରେ ଲେବାନନରେ ଥିବା ହିଜବୁଲ୍ଲା ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛି ଆଇଡିଏଫ । ଲେବାନନର ବେକା ଉପତ୍ୟକାର ପୂର୍ବ ସହର ବାଲବେକ୍ ନିକଟରେ ଇସ୍ରାଏଲ  ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ପାଖାପାଖି ୪୦ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ସୂଚନା ଦେଲେ ବେରୁତର ରାଜ୍ୟପାଳ । ଲେବାନନର ଦକ୍ଷିଣ ଓ ପୂର୍ବରେ ଇସ୍ରାଏଲ ସେନା ବୋମାମାଡ଼କୁ ତୀବ୍ର କରିଛି । ବେରୁତ ଗଭର୍ଣ୍ଣର ବଚିର ଖୋଦାର କହିଛନ୍ତି, ଇସ୍ରାଏଲର ୪୦ଟି ଆକ୍ରମଣରେ ଆମର ୪୦ ଜଣ ପ୍ରାଣ ହରାଇଛନ୍ତି ଏବଂ ୬୦ଜଣ ଆହାତ ହୋଇଛନ୍ତି । ଆଇଡିଏଫ କହିଛି ଇସ୍ରାଏଲର ମେଟୁଲା ସହରରେ ହିଜବୁଲା ପକ୍ଷରୁ ରକେଟ ମାଡ କରିଥିବା କମାଣ୍ଡର ଅଲ-ହଲିମକୁ ଦକ୍ଷିଣ ଲେବାନନରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ  ନିହତ କରାଯାଇଛି । ସେପଟେ ଯୁଦ୍ଧ ଭିତରେ ଇରାନର ନ୍ୟାୟାଳୟ ଚାରିଜଣଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଘୋଷଣା କରିଛନ୍ତି, କାରଣ ଏହି ଚାରିଜଣ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିଲେ ହେଲେ ଚାରିଜଣ ଯାକ କେଉଁ ଦେଶର ତାହା ଜଣାପଡି ନାହିଁ ।