କନକ ବ୍ୟୁରୋ : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଦିନ ଦିନକୁ ଦିନ ଏହି ଦୁଇ ଦେଶର ଆକ୍ରମଣ ବଢିବାରେ ଲାଗିଛି । ଇରାନର ରାଜଧାନୀ ତେହରାନର ଗିଶା ଅଞ୍ଚଳରେ ଆଜି ଏକ ସାଙ୍ଘାତିକ ବିସ୍ଫୋରଣରେ ନ୍ୟୁକ୍ଲିୟର ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଇସ୍ରାଏଲ ଅଧିକାରୀ ଦାବି କରିଛନ୍ତି ଏହି ଆକ୍ରମଣ ଏସ୍ରାଏଲର ସେନା ଆଇଡିଏଫ୍ ଦ୍ବାରା କରାଯାଇଛି । ଏପଟେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଧ୍ୟଚୀ ସ୍ପଷ୍ଟ କରିଛନ୍ତି ଯେପର୍ଯ୍ୟନ୍ତ ଇସ୍ରାଏଲର ଆକ୍ରମଣ ଜାରି ରହିବ ପ୍ରତି ଆକ୍ରମଣ ମଧ୍ୟ ଜାରି ରହିବ । ଆମେରିକା ହେଉ କି କୌଣସି ଅନ୍ୟ ଦେଶ ସହ ଏହା ଉପରେ ଆଲୋଚନା ହୋଇପାରିବନି ।
ବୈଦେଶିକ ମନ୍ତ୍ରୀ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଏ ସମ୍ପର୍କରେ ବିଶେଷକରି ଆମେ ଆମେରିକା ସହ କୌଣସି ଆଲୋଚନା କରିବାକୁ ଚାହୁଁନୁ । ଆଲୋଚନା ପାଇଁ ଆମେରିକା ଆମ ସହ ସମ୍ପର୍କ କରୁଛି କିନ୍ତୁ ଆମେ ଚାହୁଁନୁ । ଆଲୋଚନା ଏବଂ କୁଟନୀତିର ପ୍ରଶ୍ନ ଉଠୁନି ବୋଲି ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ । ତେବେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢିବାରେ ଲାଗିଛି ।
ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନ ଇସ୍ରାଏଲର ଆକ୍ରମଣକୁ ନେଇ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଶାନ୍ତିର ଏକମାତ୍ର ରାସ୍ତା ଏସ୍ରାଏଲ ଆକ୍ରମଣକୁ ତୁରନ୍ତ ଏବଂ ବିନା ସର୍ତରେ ବନ୍ଦ କରାଯାଉ । ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି ଯଦି ଏସ୍ରାଏଲ ତରଫରୁ ଆକ୍ରମଣ ଜାରି ରହୁଛି ତେବେ ଇରାନ୍କୁ ଆହୁରି ମଧ୍ୟ କଡା ଜବାବ ଦେବାକୁ ବାଧ୍ୟ ହେବ ।