କନକ ବ୍ୟୁରା ; ଗତ ୫ ଦିନ ହେବ ଇରାନ ଉପରେ ଆକାଶମାର୍ଗରୁ ଆକ୍ରମଣ କରିଚାଲିଛି ଇସ୍ରାଏଲ । ଯେଉଁଥିପାଇଁ ପୂରା ଦେଶ ଏବେ ଯୁଦ୍ଧର ନିଆଁରେ କବଳିତ । ଏହାରି ମଧ୍ୟରେ ଇରାନରେ ପଢୁଥିବା ଭାରତୀୟ ଛାତ୍ର ଫସିଥିବା ଖବର ସାମ୍ନାକୁ ଆସିଛି । ଇସ୍ରାଏଲର ବିମାନ ଆକ୍ରମଣ ପରେ ତେହେରାନ ସମେତ କିଛି ସହରରେ ପରିସ୍ଥିତି ଭୟଙ୍କର ହୋଇଛି । ଇରାନରେ ପାଠ ପଢୁଥିବା ଭାରତୀୟ ଛାତ୍ରଙ୍କ କହିବାନୁଯାୟୀ ଗତ ସପ୍ତାହେ ହେବ ପରିସ୍ଥିତି ଏତେ ସାଙ୍ଘାତିକ ହୋଇଛି ଯେ, ୨୪ ଘଣ୍ଟା ଗୁଳିଗୁଳାର ଶବ୍ଦ ଏବଂ ବିଲ୍ଡିଂ ଧ୍ବଂଶ ହେବାର ଶବ୍ଦ ଶୁଭୁଛି । ଇରାନରୁ ଉଦ୍ଧାର କରିବା ପାଇଁ ଛାତ୍ରମାନେ ଭାରତ ସରକାରଙ୍କୁ ଗୁହାରୀ କରିଛନ୍ତି । ଭାରତୀୟ ଦୂତାବାସ ଛାତ୍ରମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି, କିନ୍ତୁ ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ ।
ଇରାନକୁ ଏମବିବିଏସ୍ ପଢିବାକୁ ଯାଇଥିବା ଭାରତୀୟ ଛାତ୍ର ଏକ ଜାତୀୟ ଗଣମାଧ୍ୟମ ସାକ୍ଷାତକାର ଦେଇ କହିଛନ୍ତି ୧୦ ମିନିଟ୍ ଶାନ୍ତି ପରେ ପୁଣି ଆରମ୍ଭ ହେଇଯାଉଛି ଗୁଳିଗୁଳା ବର୍ଷା । ଏଠି ଆମେ ମରି ମରି ବଞ୍ଚିଛୁ । ବଡ଼ ବଡ଼ ଘର ଭାଙ୍ଗିକି ପଡୁଛି । ଆଉ ତାହାର ଶବ୍ଦ ଆମକୁ ଖୁବ୍ ଡରାଉଛି । ଆମକୁ ଏଠୁ ଶୀଘ୍ର ଉଦ୍ଧାର କର ।