କନକ ବ୍ୟୁରୋ : ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାର ଆକ୍ରମଣରେ ଥରିଲା ଇସ୍ରାଏଲ । ପେଜର ଓ ୱାକିଟକି ବିସ୍ଫୋରଣ ପରେ ରବିବାର ଭୟଙ୍କର ପାଲଟା ଆକ୍ରମଣ କରିଛି ହିଜବୁଲ୍ଲା । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢୁଥିବା ବେଳେ  ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢିବାରେ ଲାଗିଛି । ହିଜବୁଲ୍ଲା ଓ ଇସ୍ରାଏଲ ପରସ୍ପର ଉପରେ ଲଗାତାର ରକେଟ, ଡ୍ରୋନ ଜରିଆରେ ଆକ୍ରମଣ କରୁଛନ୍ତି । ରବିବାର ଉତ୍ତର ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଭୟଙ୍କର ଆକ୍ରମଣ କରିଛି । ରକେଟ, ମିଜାଇଲ, ଡ୍ରୋନ ଓ ବୋମା ବର୍ଷା କରିବା ପରେ ଇସ୍ରାଏଲରେ ଧାଁ ଦୌଡ ପରିସ୍ଥିତି ସୃଷ୍ଟି ହୋଇଛି । ଜେଜରେଲ ଘାଟି ଅଞ୍ଚଳରେ ୧୪୦ରୁ ଅଧିକ ରକେଟ ଓ ଡ୍ରୋନ ମାଡ଼ କରିଥିଲେ ହେଜବୁଲ୍ଲା ଆତଙ୍କବାଦୀ । ଏହାପରେ ହାଇଫା, ନାଜରେଥ, ଅଫୁଲ୍ଲା, ଲୋଅର ଗଲିସ ସମେତ ଇସ୍ରାଏଲ ସେନା ଶିବିରକୁ ଟାର୍ଗେଟ କରି ବୋମା ବର୍ଷା କରିଥିଲେ । ଆକ୍ରମଣକୁ ଆଖିରେ ରଖି ଇସ୍ରାଏଲ ସେନା ଶିବିର ଅଂଚଳରେ ଆଲର୍ଟ ଜାରି କରାଯାଇଥିଲା । ସେପଟେ ଲଗାତାର ଆକ୍ରମଣକୁ ଦେଖି ଇସ୍ରାଏଲ ନାଗରିକ ରାତିରେ ବୋମା ସେଲଟରରେ ରାତି କାଟିଥିବା ସୂଚନା ମିଳିଛି ।