କନକ ବ୍ୟୁରୋ: ଗାଜାରେ ଡାକ୍ତରୀ ସହାୟତା ଉପରେ ଇସ୍ରାଏଲର କଟକଣା । ଭୁଶୁଡ଼ି ପଡ଼ିଲାଣି ଗାଜାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା। ଇସ୍ରାଏଲର ଭୟଙ୍କର ଆକ୍ରମଣ ଭିତରେ ଦୀର୍ଘ ଦୁଇମାସର ଅସ୍ତ୍ରବିରତି ସତ୍ତ୍ୱେ ଗାଜାରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଡାକ୍ତରମାନେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଇସ୍ରାଏଲ୍ ସବୁଠାରୁ ଜରୁରି ଡାକ୍ତରୀ ସାମଗ୍ରୀକୁ ଗାଜାକୁ ପ୍ରବେଶ ଅନୁମତି ଦେଉନାହିଁ।
ଖବର ଅନୁଯାୟୀ, ଆଣ୍ଟିବାୟୋଟିକ୍, ଅପରେସନ୍ରେ ବ୍ୟବହୃତ ମେଡିସିନ୍ ସହ ସର୍ଜିକାଲ୍ ସାମଗ୍ରୀ ଉପରେ କଟକଣା ଲଗାଯାଇଛି ଇସ୍ରାଏଲ। ଆଶ୍ଚର୍ଯ୍ୟର କଥା ହେଉଛି, ମୋବାଇଲ୍ ଫୋନ୍ ଏବଂ ଇଲେକ୍ଟ୍ରିକ୍ ସାଇକେଲ୍ ଭଳି ଜିନିଷକୁ ଅନୁମତି ମିଳୁଥିବାବେଳେ ଗଜ୍ କପଡ଼ା, ହାତରେ ପିନ୍ଧିବା ପାଇଁ ଗ୍ଲୋଭ୍ସ, କୋଲ୍ଡ ପ୍ୟାକ୍ କିମ୍ବା ଡିସ୍ଇନ୍ଫେକ୍ଟାଣ୍ଟ୍ ସଲ୍ୟୁସନ୍ ଭଳି ଅତି ସାଧାରଣ ସାମଗ୍ରୀ ମିଳୁନାହିଁ । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୫୪ ପ୍ରତିଶତ ଜରୁରି ଔଷଧ ଏବଂ ସର୍ଜରୀ ପାଇଁ ଆବଶ୍ୟକ ୪୦ ପ୍ରତିଶତ ଔଷଧ ମିଳୁନାହିଁ, ଫଳରେ ଅପରେସନ୍ ହୋଇପାରୁନାହିଁ। ଏହି କାରଣରୁ କ୍ୟାନ୍ସର ଭଳି ରୋଗରେ ପୀଡ଼ିତ ରୋଗୀମାନେ ଅତ୍ୟଧିକ କଷ୍ଟ ଭୋଗୁଛନ୍ତି । ଡାକ୍ତରମାନେ ନିଜ ପାଖରେ ଥିବା ସାମାନ୍ୟ ଜିନିଷରେ ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି।
ଭାରତକୁ ଇସ୍ରାଏଲର ବଡ଼ ଅନୁରୋଧ
ସେପଟେ ଭାରତକୁ ଇସ୍ରାଏଲର ବଡ଼ ଅନୁରୋଧ। ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପାଇଁ ଭାରତକୁ ଇସ୍ରାଏଲ୍ ପକ୍ଷରୁ ଆନୁଷ୍ଠାନିକ ଭାବେ ଅନୁରୋଧ କରାଯାଇଛି । ଇସ୍ରାଏଲ୍ କହିଛି, ଭାରତ ଏହି ନିଷ୍ପତ୍ତି ନେଲେ ଦକ୍ଷିଣ ଏସିଆରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିବ। ଇସ୍ରାଏଲର ବରିଷ୍ଠ ଅଧିକାରୀମାନେ ଜୋର ଦେଇ କହିଛନ୍ତି, ନୂଆଦିଲ୍ଲୀ ହମାସ୍ ପଛରେ ଥିବା ନେଟୱର୍କ ଓ ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଛି। ଏହି ପ୍ରସଙ୍ଗରେ ଇସ୍ରାଏଲ୍, ହମାସ୍ ଏବଂ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ- ତୋଇବା ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ଦର୍ଶାଇଛି। ନିକଟରେ ପିଓକେରେ ହମାସ୍ ନେତା ଏବଂ ଜୈସ-ଏ-ମହମ୍ମଦ୍ ସହିତ ଏକାଠି ହୋଇ ଭାରତ ବିରୋଧୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଭାରତ ପାଇଁ ଏକ ବଡ଼ ସୁରକ୍ଷା ଚିନ୍ତା ବୋଲି ଇସ୍ରାଏଲ୍ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/08/gaza-2025-12-08-14-48-56.jpg)