କନକ ବ୍ୟୁରୋ: ଲେବାନନରେ ହିଜବୁଲ୍ଲା ଗୋଷ୍ଠୀର ଶିବିର ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ। ହିଜବୁଲ୍ଲାର ଗୋଟିଏ ପରେ ଗୋଟିଏ ସାମରିକ ଠିକଣାକୁ ଧ୍ବଂସ କରିବାରେ ସଫଳ ହୋଇଛି ଇସ୍ରାଏଲ। ପେଜର ଓ ୱାକିଟକି ବିସ୍ଫୋରଣ ପରେ ତେଲଅଭିଭ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପ୍ରଥମେ ୧୭ ସେପ୍ଟେମ୍ବରରେ ପେଜର ବିସ୍ଫୋରଣ ହେବାର ଦିନକ ପରେ ୱାକି-ଟକି, ସୋଲାର ପ୍ୟାନେଲ, ଫିଙ୍ଗରପ୍ରିଣ୍ଟ ଡିଭାଇସ୍ ଏବଂ ରେଡିଓରେ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଏସବୁ ଘାତକ ଆକ୍ରମଣ ପରେ ଲେବାନନ ଉପରେ ଇସ୍ରାଏଲ ବୋମା ବର୍ଷଣକୁ ଜୋରଦାର କରିଛି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ବଢ଼ିଚାଲିଛି। ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ବଢ଼ିଛି। ଲେବାନନରେ ପ୍ରଥମେ ପେଜର ଓ ପରେ ୱାକିଟକିରେ ବିସ୍ଫୋରଣ ଯୋଗୁଁ ହିଜବୁଲ୍ଲା ଗୋଷ୍ଠୀ ବହୁ ସଦସ୍ୟ ମୃତାହତ ହୋଇଛନ୍ତି। ଏହାପରେ ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ପଣ କରଛି ହିଜବୁଲ୍ଲା। ସେପଟେ ହିଜବୁଲ୍ଲା ଉପରେ ଆକ୍ରମଣକୁ ଆହୁରି ବଢ଼ାଇ ଦେଇଛି ଇସ୍ରାଏଲ। ଲେବାନନରେ ଥିବା ହିଜବୁଲ୍ଲାର ବିଭିନ୍ନ ସାମରିକ ଶିବିରକୁ ଟାର୍ଗେଟ୍ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫ।
ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଛି। ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ଯୁଦ୍ଧ ଚଳାଇଥିବାବେଳେ ଏବେ ହିଜବୁଲ୍ଲା ବିରୋଧରେ ଆଉ ଏକ ଯୁଦ୍ଧ ଆରମ୍ଭ କରିଛି। ହିଜବୁଲ୍ଲାର ଏକାଧିକ ଅସ୍ତ୍ରଶସ୍ତ୍ର ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି ତେଲଅଭିଭବ।
ସୁବଠୁ ବଡ଼ କଥା ହେଲା ହିଜବୁଲ୍ଲାର ମୁଖ୍ୟ ଯେତେବେଳେ ଟିଭିରେ ଇସ୍ରାଏଲ ଉପରେ ପ୍ରତିଶୋଧ କଥା କହୁଥିଲେ, ସେମୟରେ ଇସ୍ରାଏଲ ପକ୍ଷରୁ ଲେବାନନରେ ଆକ୍ରମଣ କରାଯାଇଛି। ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ କରିଛି ଆଇଡିଏଫ। ପେଜର ଏବଂ ୱାକି-ଟକି ବିସ୍ଫୋରଣକୁ ନେଇ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ଏହାର ପ୍ରତିଶୋଧ ନେବା କଥା କହୁଥିଲେ। କିନ୍ତୁ ତାଙ୍କ ଭାଷଣ ଶେଷ ହେବା ମାତ୍ରେ ଇସ୍ରାଏଲ ପୁଣି ଥରେ ଲେବାନନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଥିଲା। ଦକ୍ଷିଣ ଲେବାନନର ଅନେକ ଜନବସତି ସମେତ ହିଜବୁଲ୍ଲା ଠିକଣାକୁ ଟାର୍ଗେଟ କରି ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି।
ପେଜର ଓ ୱାକିଟକି ବିସ୍ଫୋରଣ କରି ଇସ୍ରାଏଲ ଆକ୍ରମଣ କରିବାକୁ ଶୈଳୀକୁ ଯୁଦ୍ଧ ଘୋଷଣା ବୋଲି କହିସାରିଛି ହିଜବୁଲ୍ଲା। ଏବେ ପୁଣି ଲେବାନନରେ ଏୟାର ଷ୍ଟ୍ରାଇକ ହେବା ପରେ ଯୁଦ୍ଧ ଆଶଙ୍କା ଆହୁରି ବଢ଼ିଯାଇଛି। କ୍ଷେପଣାସ୍ତ୍ର ମାଡ଼ କରିବା ସହିତ ଯୁଦ୍ଧ ଆରମ୍ଭ କରିଛି ଇସ୍ରାଏଲ। ଲେବାନନ୍ର ରାଜଧାନୀ ବେରୁଟ୍ ଉପରେ ମଧ୍ୟ ଇସ୍ରାଏଲର ଯୁଦ୍ଧବିମାନ ସୋନିକ ବୋମା ମାଡ଼ କରିଛି।
- ଦକ୍ଷିଣ ଲେବାନନ ଉପରେ ଏୟାର ଷ୍ଟ୍ରାଇକ
- ହିଜବୁଲ୍ଲାର ଅସ୍ତ୍ରଶସ୍ତ୍ର ଠିକଣାକୁ ଟାର୍ଗେଟ
- ୧ହଜାର ରକେଟ ଲଞ୍ଚର ବ୍ୟାରେଲ ଧ୍ବଂସ
- ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଏହା ପ୍ରସ୍ତୁତ ଥିବାବେଳେ ଆକ୍ରମଣ
- ହିଜବୁଲ୍ଲାର ଭିତ୍ତିଭୂମି ଓ ଅନ୍ୟ ଠିକଣା ଧ୍ବଂସ
ଲଗାତାର ଦୁଇ ଦିନ ଧରି ଲେବାନନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପ୍ରଥମେ ପେଜର ବିସ୍ଫୋରଣ ହୋଇଥିଲା ଓ ପରଦିନ ୱାକିଟକି ବିସ୍ଫୋରଣ ହୋଇଥିଲା। ଏଥିରୁ ୩୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ୪ ହଜାରରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ ହିଁ ଏପରି ବିସ୍ଫୋରଣ କରାଇଥିବା ସନ୍ଦେହ କରାଯାଉଛି। ହେଲେ ବେଞ୍ଜାମିନ ନେତାନ୍ୟାହୁ ସରକାର ଏହା ସ୍ବୀକାର କରିଛନ୍ତି ନା ଖଣ୍ଡନ କରିଛନ୍ତି। ଲେବାନନରେ ପେଜର ଓ ୱାକିଟକି ବିସ୍ଫୋରଣରେ ହିଜବୁଲ୍ଲାର ଅନେକ ସଦସ୍ୟ ମୃତ୍ୟୁବରଣ କରିଥିବା ବେଳେ ୪ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ ଲେବାନନ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଛି। ଏପରିକି ଇସ୍ରାଏଲ ଉପରେ ବଡ ଧରଣର ଆକ୍ରମଣ କରାଯିବ ବୋଲି ଲେବାନନ ପକ୍ଷରୁ ଧମକ ଦିଆଯାଇଛି। ଜବାବରେ ବୁଧବାର ଇସ୍ରାଏଲ ଲେବାନନ ସୀମା ନିକଟରେ ୨୦ହଜାରରୁ ଅଧିକ ସୈନିକ ନିୟୋଜିତ କରିଛି। ଫଳରେ ଏକ ବଡ ଧରଣର ସଂଘର୍ଷ ହେବ ବୋଲି ଆଶଙ୍କା କରାଯାଉଛି।
ଇସ୍ରାଏଲ ଓ ଲେବାନନ ମଧ୍ୟରେ ବଡ଼ ଯୁଦ୍ଧ ଲାଗିଯିବାର ଆଶଙ୍କା ଦେଖାଦେଇଛି। କାରଣ ଇସ୍ରାଏଲ ଉପରେ ପ୍ରତିଶୋଧ ନିଆଯିବ ବୋଲି ହିଜବୁଲ୍ଲା ଗୋଷ୍ଠୀ ମୁଖ୍ୟ କହିଛନ୍ତି। ଗୋଷ୍ଠୀର ମୁଖ୍ୟ ସାୟଦ ହାସନ ନସରଲ୍ଲା କହିଛନ୍ତି, ‘ନିକଟରେ ଇସ୍ରାଏଲ ଦ୍ବାରା କରାଯାଇଥିବା ଆକ୍ରମଣକୁ ଯୁଦ୍ଧ ଘୋଷଣା ଭାବେ ଗ୍ରହଣ କରାଯାଇପାରେ। ଆଉ ଏହାର ଉଚିତ ଜବାବ ଦିଆଯିବ’। ଗତବର୍ଷ ଅକ୍ଟୋବରରୁ ଇସ୍ରାଏଲ ଓ ପାଲେଷ୍ଟାଇନର ହମାସ୍ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ଚାଲିଛି। ତେବେ ଏହି ଯୁଦ୍ଧରେ ହମାସକୁ ସମର୍ଥନ କରି ଇସ୍ରାଏଲ ଉପରେ ହିଜବୁଲ୍ଲା ଗୋଷ୍ଠୀ ଆକ୍ରମଣ କରୁଛି। ଆଉ ଏହାର କଡ଼ା ଜବାବ ମଧ୍ୟ ଦେଉଛି ଇସ୍ରାଏଲ। ପରଦା ପଛରେ ରହି ଇରାନ ହିଁ ଗୋଟିଚାଳନା କରୁଛି। ଇସ୍ରାଏଲକୁ ଚାରିପଟୁ ଘେରିବାକୁ ଯୋଜନା କରୁଛି ଇରାନ। ଏଥିପାଇଁ ଗୋଟିଏ ପଟୁ ହିଜବୁଲ୍ଲା ଗୋଷ୍ଠୀ, ଅନ୍ୟପଟେ ହୁତି ଗୋଷ୍ଠୀ ଆକ୍ରମଣ କରୁଛନ୍ତି। ଉଭୟ ଗୋଷ୍ଠୀକୁ ସାମରିକ ଆର୍ଥିକ ସହାୟତା ସହ ତାଲିମ ଯୋଗାଇଆସୁଛି ଇରାନ।