କନକ ବ୍ୟୁରୋ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟ ଅବନତି ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ତାଙ୍କର ପ୍ରୋଷ୍ଟେଟ ସର୍ଜରୀ କରାଯାଇଥିବାବେଳେ ଅପରେସନ୍ ସଫଳ ହୋଇଛି । ତେବେ ନେତାନ୍ୟାହୁ ଆଉ କିଛି ଦିନ ଡାକ୍ତରଖାନାରେ ରହିବେ । ସେଥିପାଇଁ ତାଙ୍କ ଘନିଷ୍ଠ ସହଯୋଗୀ ୟାରିଭ ଲେଭିନ୍, ଯିଏକି ତାଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ଅଛନ୍ତି ସେ କାର୍ୟ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ କାର୍ୟ୍ୟ କରିବେ ।
ଇସ୍ରାଏଲର ସରକାରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ନେତାନ୍ୟାହୁ ବୁଧବାର ଏକ ମୂତ୍ରନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ୭୫ ବର୍ଷୀୟ ନେତାନ୍ୟାହୁ ଦୁନିଆର ସେହି ନେତାମାନଙ୍କ ତାଲିକାରେ ଅଛନ୍ତି ଯେଉଁମାନଙ୍କର ବୟସ ୭୫ ବର୍ଷ । ନେତାନ୍ୟାହୁଙ୍କ ବ୍ୟତୀତ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ୮୨, ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୭୮, ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ୭୯ ଏବଂ ପୋପ ଫ୍ରାନ୍ସିସଙ୍କୁ ୮୮ ବର୍ଷ ହେଲାଣି ।
ନିକଟରେ ନେତାନ୍ୟାହୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତାଙ୍କ ନିକଟବର୍ତ୍ତୀ ଲୋକମାନେ ଜେରୁଜେଲମ୍ ପୋଷ୍ଟକୁ କହିଛନ୍ତି ଯେ କ୍ରମାଗତ ଭାବରେ ଯୁଦ୍ଧରେ ଜଡିତ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିବାରୁ ସେ ଅନେକ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇନଥିଲେ ।