କନକ ବ୍ୟୁରୋ : ଇରାନ ସହ ଚାଲିଥିବା ଯୁଦ୍ଧ ଭିତରେ ଇସ୍ରାଏଲକୁ ବହୁମୂଲ୍ୟ ଦେବାକୁ ପଡୁଛି । ଯୁଦ୍ଧ ବିଶେଷଜ୍ଞଙ୍କ କହିବା ମୁତାବକ କେବଳ ଇରାନର ମିସାଇଲକୁ ଅଟକାଇବାକୁ ଇସ୍ରାଏଲ ଯେଉଁ ଇଣ୍ଟରସେପ୍ଟର ବ୍ୟବହାର କରୁଛି ସେଥିପାଇଁ ଦୈନିକ ୨୦୦ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୭,୩୨,୪୧,୩୦,୦୦୦ ଟଙ୍କା ଖର୍ଚ୍ଚ କରୁଛି । ଏହି ଇଣ୍ଟରସେପ୍ଟର ଇସ୍ରାଏଲ ମିସାଇଲ ଡିଫେନ୍ସ ସିଷ୍ଟମର ପ୍ରମୁଖ ଭାଗିଦାରୀ ।
ଏହା ସହ ଯୁଦ୍ଧରେ ବ୍ୟବହାର ହେଉଥିବା ଗୋଳା-ବାରୁଦ, ଯୁଦ୍ଧ ବିମାନ ଓ ଲଜିଷ୍ଟିକ୍ ସପୋର୍ଟ ସିଷ୍ଟମ ବାବଦରେ ବି ବହୁ ପରିମାଣର ଅର୍ଥ ଖର୍ଚ୍ଚ ହେଉଛି । କେବଳ ସେତିକି ନୁହେଁ ଇରାନର ଜୋରଦାର ଆକ୍ରମଣ ଫଳରେ ଇସ୍ରାଏଲର ବଡ଼ ବଡ଼ ସହର ଧ୍ୱଂସ ହେବାରେ ଲାଗିଛି ।
ପ୍ରାଥମିକ ଆକଳନରୁ ଜଣାପଡିଛି କି ଇରାନ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଫଳରେ ଯେଉଁ ବଡ଼ ବଡ଼ ସହର ନଷ୍ଟ ହୋଇଛି ତାକୁ ପୁଣି ନିର୍ମାଣ କରିବାକୁ ଇସ୍ରାଏଲକୁ ୪୦୦ ମିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ସେପଟେ ଆମେରିକା ଗଣମାଧ୍ୟମ ଯେଉଁ ତଥ୍ୟ ଦେଇଛି ତାହା ଯଦି ସତ୍ୟ ହୁଏ ତେବେ ଖୁବଶୀଘ୍ର ଇସ୍ରାଏଲ ଇରାନ ପାଖରେ ଆତ୍ମସମର୍ପଣ କରିବ । କାରଣ ଇସ୍ରାଏଲ ପାଖରେ ଡିଫେନସିଭ୍ ଇଣ୍ଟରସେପ୍ଟର ସଂଖ୍ୟା କମିବାରେ ଲାଗିଛି । ଏଥିରୁ ଅନୁମାନ କରାଯାଉଛି କି, ଯଦି ଏହି ଯୁଦ୍ଧର ପରିସମାପ୍ତି ଖୁବଶୀଘ୍ର ନଘଟେ ତେବେ ଇରାନ ଦ୍ୱାରା ଉତକ୍ଷେପଣ କରାଯାଉଥିବା ଦୀର୍ଘ ଦୂରତା ବାଲାଷ୍ଟିକ୍ ମିସାଇଲକୁ ମୁକାବିଲା କରିବାରେ ଇସ୍ରାଏଲ ବିଫଳ ହେବ ।
ସେପଟେ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବୟାନ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି କି, ଇରାନ ସହ ଚୁକ୍ତି ନେଇ ସମ୍ଭାବନା ଦେଖାଦେଇଛି । ଏହି ଚୁକ୍ତି ଯଦି ଖୁବଶୀଘ୍ର ନହୋଇପାରିବ ତେବେ ଆଗକୁ ହେବାର କୌଣସି ସମ୍ଭାବନା ନାହିଁ । ଏବେ କୂଟନୀତିକୁ ପ୍ରାଥମିକତା ଦିଆଯାଉଛି, ହେଲେ ଆବଶ୍ୟକ ପଡିଲେ ଆମେରିକା ତାର ଶକ୍ତି ପ୍ରଦର୍ଶନ କରିବାରେ ପଛକୁ ହଟିବ ନାହିଁ ।