କନକ ବ୍ୟୁରୋ : ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଅଶାନ୍ତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରତୀ ବେଞ୍ଜାମିନ୍ ନେତାନ୍ୟାହୁ ଆକ୍ରମଣ ଯୋଜନା ଅପେରସନ୍ ରାଇଜିଂ ଲାୟନକୁ ନେଇ ବଡ଼ ଖୁଲାସା କରିଥିଲେ । ସେ କହିଥିଲେ କି ଇରାନ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ୍ ରାଇଜିଂ ଲାୟନକୁ ୬ ମାସ ପୂର୍ବରୁ ଅର୍ଥାତ ନଭେମ୍ବର ୨୦୨୪ ରେ ମଞ୍ଜୁରୀ ପ୍ରଦାନ କରିଥିଲେ । ହେଲେ କିଛି କାରଣରୁ ଏହି ଅପରେସନ୍ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା ।
ଇରାନ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରୁଛି । ଏହି ଏୟାର ଷ୍ଟ୍ରାଇକରେ ଇରାନର ୨୦ ଜଣ ଟପ୍ କମାଣ୍ଡରଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ଇରାନ ତରଫରୁ ୨୦୦ ଯୁଦ୍ଧ ବିମାନରେ ଇରାନର ୬ଟି ଠିକଣା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ବିଶେଷ କରି ଇରାନର ସୈନ୍ୟ ଠିକଣା ଓ ଓ ପରମାଣୁ ଠିକଣା ଉପରେ ଆକ୍ରମଣ କରାଯାଇଥିଲା । ଏହାର ପ୍ରତି ଜବାବରେ ଇରାନ ଶୁକ୍ରବାର ଅପରାହ୍ନରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏଥିରେ ଇରାନ ୧୦୦ ରୁ ଅଧିକ ଡ୍ରୋନ୍ ସହାୟତରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଇସ୍ରାଏଲ ଓ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ଧମକ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ଇରାନ ଇସ୍ରାଏଲ ସହ ପରମାଣୁ ଚୁକ୍ତି କରିବାକୁ ରାଜି ନହେଲେ ଆଗକୁ ସ୍ଥିତି ଭୟଙ୍କର ହେବ ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ଆକ୍ରମଣ ପଛରେ ମୁଖ୍ୟତ ଇରାନ ଦ୍ୱାରା ଆରମ୍ଭ କରାଯାଇଥିବା ପରମାଣୁ ଓ ବାଲାଷ୍ଟିକ ମିସାଇଲ କାର୍ଯ୍ୟକ୍ରମ ଦ୍ୱାରା ବଢୁଥିବା ବିପଦକୁ ଶେଷ କରିବା । ଶୁକ୍ରବାର ଦିନ ଇସ୍ରାଏଲ ତରଫରୁ ଇରାନ ଉପରେ ହୋଇଥିବା ଆକ୍ରମଣର ନାମ ଅପରେସନ୍ ରାଇଜିଂ ଲାୟନ ରଖାଯାଇଛି । ନେତାନ୍ୟାହୁ କହିଛନ୍ତି କି, ଇସ୍ରାଏଲର ଅସ୍ତିତ୍ୱ ପ୍ରତି ଥିବା ବିପଦକୁ କମ୍ କରିବାକୁ ଏହି ଆକ୍ରମଣ କରାଯାଉଛି ।
ନେତାନ୍ୟାହୁ ଇରାନ ଉପରେ ଅଭିଯୋଗ ଆଣିଛନ୍ତି କି, ସାରା ବିଶ୍ୱର ଚେତାବନୀ ପରେ ବି ଇରାନ ତା'ର ପରମାଣୁ କାର୍ଯ୍ୟକ୍ରମକୁ ଜାରି ରଖିଛି । ପରମାଣୁ ବୋମା ପ୍ରସ୍ତୁତ କରୁଥିବା ଇରାନର ୟୁରେନିୟମ ଭଣ୍ଡାରକୁ ଇସାରା କରିଛନ୍ତି ନେତାନ୍ୟାହୁ । ସେ ଆହୁରି କହିଛନ୍ତି କି ଇରାନ ପାଖରେ ପରମାଣୁ ବୋମା ପ୍ରସ୍ତୁତ କରିବାକୁ ଯେଉଁ ଉଚ୍ଚମାନର ୟୁରେନିୟମ ଭଣ୍ଡାର ରହିଛି ତାହାକୁ ବ୍ୟବହାର କରି ଇରାନ କିଛିମାସ ଭିତରେ ପରମାଣୁ ଅସ୍ତ୍ର ବିକଶିତ କରିପାରେ ।
ସେପଟେ ଇସ୍ରାଏଲ ସେନା ଆକ୍ରମଣରେ ଇରାନର ଆଇଆରଜିଏସ୍ ବା ଇସ୍ଲାମିକ ରିଭୁଲ୍ୟୁସନାରୀ କମାଣ୍ଡର ହୋସେନ ସଲାମୀଙ୍କ ମୃତ୍ୟୁ ହୋଇଛି । ସେ ଇରାନର ସବୁଠାରୁ ପ୍ରଭାବଶାଳୀ ସୈନ୍ୟ ଅଧିକାରୀ ଥିଲେ । କଠୋର ଆକ୍ରମଣ ପାଇଁ ତାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିଲା ରଣନୀତି । ଆଇଆରଜିଏସ୍ ଇରାନର ବାଲାଷ୍ଟିକ ମିସାଇଲ ଶସ୍ତ୍ରାଗାରକୁ ନିୟନ୍ତ୍ରିତ କରିଥାଏ । ଏହା ବ୍ୟତୀତ ଇସ୍ରାଏଲ ଆକ୍ରମଣ ଫଳରେ ଇରାନର ୬ ଜଣ ବୈଜ୍ଞାନିକ ମୃତ୍ୟୁବରଣ କରିଥିବା ଖବର ଆସୁଛି ।
ଅନ୍ୟପଟେ କୁହାଯାଉଛି କି, ଇରାନ ପରମାଣୁ ଅସ୍ତ୍ର ହାସଲ କରିବା କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପହଂଚିଛି । ସଂଯୁକ୍ତ ରାଷ୍ଟ୍ରର ପରମାଣୁ ସଂପର୍କୀୟ କାମ ଉପରେ ନଜର ରଖିଥିବା ଏଜେନ୍ସି ଏନେଇ ତାର ରିପୋର୍ଟରେ କହିଛି କି, ଇରାନ ପାଖରେ ୪୦୮ କିଲୋର ଏଭଳି ୟୁରେନିୟମ ଭଣ୍ଡାର ରହିଛି ଯାହା ୬୦ ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିବାରେ ସହାୟକ ହେବ ।
ଏବେ ଆସିବା କାହିଁକି ଦିନେ ବନ୍ଧୁତାର ଶୀର୍ଷରେ ପହଂଚିଥିବା ଏହି ଦୁଇଦେଶ ଆଜି ପରମ ଶତ୍ରୁ ପାଲଟିଯାଇଛନ୍ତି । ଏହି ଦୁଇଦେଶ ମଧ୍ୟରେ ଶତ୍ରୁତାର ମୁଖ୍ୟ କାରଣ ହେଉଛି ଇରାନର କ୍ରାନ୍ତି ବୋଲି କୁହାଯାଉଛି । ୧୯୪୮ ମସିହାରେ ଇସ୍ରାଏଲ ଯେତେବେଳେ ଅସ୍ତିତ୍ୱକୁ ଫେରିଲା ସେତେବେଳେ ଇରାନ ଗୋଟିଏ ଦେଶ ଯିଏ କି ଇସ୍ରାଏଲକୁ ମୁସଲିମ୍ ଦେଶର ମାନ୍ୟତା ଦେଇଥିଲା । ସେତେବେଳେ ଇରାନରେ ପ୍ରଥମ ରାଜବଂଶର ଶାସନ ଥିଲା । ଏହି ରାଜବଂଶର ଶାସନ ପାଖାପାଖି ୫୦ ବର୍ଷ ଧରି ଚାଲିଥିଲା । ସେତେବେଳେ ଉଭୟ ଇସ୍ରାଏଲ ଓ ଇରାନ ଆମେରିକାର ସମର୍ଥକ ଥିଲେ । ୧୯୭୯ ରେ ଇରାନରେ ହୋଇଥିବା ଇସଲାମିକ କ୍ରାନ୍ତି ଦୁଇ ଦେଶ ମଧ୍ୟରେ ଶତ୍ରୁତା ବଢାଇଥିଲା ।